
ଜାପାନ : ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ ସୁଦ୍ଧା ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି ।
ସୂଚନାନୁଯାୟୀ, ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ପ୍ରବଳ ପବନ ଯୋଗୁଁ ନିଆଁ ତୀବ୍ର ଭାବେ ବ୍ୟାପିଯାଇଥିଲା । ଯାହାଫଳରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା । ନିଆଁ ବ୍ୟାପିବାରୁ ୧୭୦ରୁ ଅଧିକ କୋଠା ଏଥିରେ ନଷ୍ଟ ହୋଇଯାଇଛି । ଏହାରି ମଧ୍ୟରେ ଜଣେ ସ୍ଥାନୀୟ ଲୋକ ଜରୁରୀକାଳୀନ ପରିସ୍ଥିତି ପାଇଁ ଡାକ ଦେଇଥିଲେ । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନ୍ତର କରିଥିଲେ । ଏଥିରେ ଜଣେ ୭୦ ବର୍ଷୀୟ ବୃଦ୍ଧ ନିଖୋଜ ରହିଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।