କାଶ୍ମୀର ଟାଇମ୍ସ ଅଫିସରେ ଚଢଉ: ବନ୍ଧୁକ ଓ ଗୁଳି ଜବତ କଲା ପୁଲିସ

youtube

ଜାମ୍ମୁ କାଶ୍ମୀର: ‌ଜାମ୍ମୁ-କାଶ୍ମୀର ପୁଲିସର ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି(ଏସଆଇଏ) ଗୁରୁବାର ସକାଳେ ଜାମ୍ମୁସ୍ଥିତ କାଶ୍ମୀର ଟାଇମ୍ସ ଖବରକାଗଜ ମୁଖ୍ୟ କାର୍ଯ୍ୟାଳୟରେ ଚଢଉ କରିଛି। ଚଢଉରେ କାର୍ଯ୍ୟାଳୟରୁ ଏକେ ରାଇଫଲ୍ସ, ପିସ୍ତଲ ଗୁଳି ଓ ହ୍ୟାଣ୍ଡ ଗ୍ରେନେଡର ପିନ୍ ଜବତ ହୋଇଛି। କାଶ୍ମୀର ଟାଇମ୍ସ ଜାମ୍ମୁ ଓ କାଶ୍ମୀରର ଏକ ପୁରୁଣା ତଥା ପ୍ରମୁଖ ଖବରକାଗଜ। ଖବରକାଗଜ ଦେଶ ବିରୁଦ୍ଧରେ ଲେଖିବା ସହ ସାର୍ବଜନିନ ଆଇନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ଏସଆଇଏ କାର୍ଯ୍ୟାଳୟରେ ଚଢଉ କରି ଦସ୍ତାବିଜ ଓ ଡିଜିଟାଲ ଉପକରଣର ଯାଞ୍ଚ କରିଥିଲା। ଯଦିଓ କାଶ୍ମୀର ଟାଇମ୍ସ ଗତ କିଛି ମାସ ହେବ ଛପାଯାଉନଥିଲା ତେବେ ପୂର୍ବରୁ ଖବରକାଗଜର ଜାମ୍ମୁ ଓ କାଶ୍ମୀର କାର୍ଯ୍ୟାଳୟରେ ଦେଶ ବିରୋଧୀ ଖବର ଛପାଯାଉଥିଲା। ଆଗାମୀ ଦିନରେ ଖବରକାଗଜର ପ୍ରମୋଟରଙ୍କୁ ପଚରାଉଚରା କରାଯାଇପାରେ।

ଅନ୍ୟପଟେ ଜାମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ସିଂହ ଚୌଧୁରୀ କହିଛନ୍ତି ଯେ କିଛି ଭୁଲ୍ ଜଣାପଡିବା ପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ଉଚିତ୍। ତେବେ ଯଦି କେବଳ ଚାପ ପକାଇବା ପାଇଁ ଏଭଳି କରାଯାଉଛି ତେବେ ଏହା ଅନୁଚିତ୍ ବୋଲି ସେ କହିଛନ୍ତି। ପିଡିପିର ନେତା ତଥା ମେହବୁବା ମୁଫ୍୍ତିଙ୍କ ଝିଅ ଇଲ୍୍ତିଜା ମୁଫ୍୍ତି ଏହି ଚଢଉକୁ କଡା ନିନ୍ଦା କରିଛନ୍ତି। ଏହାକୁ ଭିତ୍ତିହୀନ କହିବା ସହ କାଶ୍ମୀର ଟାଇମ୍ସ ସତର ଆଇନା ଦେଖାଏ, କେବେ ଚାପରେ ନଇଁନି କିମ୍ବା ଭାଙ୍ଗି ପଡିନି ବୋଲି ସେ କହିଛନ୍ତି। ଖବରକାଗଜର ସମ୍ପାଦକ ଅନୁରାଧା ଭସିନ ଜାମୱାଲ ଓ ପ୍ରବୋଧ ଜାମୱାଲ ମଧ୍ୟ ଚଢଉକୁ ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି ଯେ ସଚ୍ଚୋଟ ଓ ନିର୍ଭୀକ ଗଣମାଧ୍ୟମକୁ ଚୁପ୍ କରିବା ପାଇଁ ଏହା ଏକ ଯୋଜନା। ସରକାରଙ୍କ ସମ୍ପର୍କରେ ଆଲୋଚନା କରିବା େଦଶ ବିରୋଧୀ ନୁହେଁ। ପ୍ରଶ୍ନ ଉଠାଉଥିବା ଗଣମାଧ୍ୟମ ଗଣତନ୍ତ୍ର ପାଇଁ ବାଧ୍ୟତାମୂଳକ। ଡରାଇ ଧମକାଇ ଚୁପ୍ କରିବା ପାଇଁ ଚେଷ୍ଟା କରାଯାଉଛି; କିନ୍ତୁ ଆମେ ଚୁପ୍ ରହିବୁନି ବୋଲି ଉଭୟ କହିଛନ୍ତି। କାଶ୍ମୀର ଟାଇମ୍ସର ଶ୍ରୀନଗର କାର୍ଯ୍ୟାଳୟକୁ ପ୍ରଶାସନ ୨୦୨୦ରେ ସିଜ୍ କରିଥିଲା। ସେହି ସମୟରେ ଇଣ୍ଟରନେଟରେ ଲଗାଯାଇଥିବା ପ୍ରତିବନ୍ଧକ ଓ ଅନ୍ୟ ସୁରକ୍ଷାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଥିଲା।

Leave A Reply

Your email address will not be published.