ବିହାର: ଆଖି ଖୋସିଗଲା ଭଳି ସଂପତ୍ତି । ବିହାର ବ୍ୟୁରୋକ୍ରାଟ୍ସ ଦମ୍ପତିଙ୍କ ଘରେ ରେଡରେ ମିଳିଲା ନଗଦ କୋଟିଏ ଟଙ୍କା । କେବଳ ଏତିକି ନୁହେଁ ବିପୁଳ ହୀରା, ସୁନାଗହଣା ମିଳିଛି । ବ୍ୟୁରୋକ୍ରାଟ୍ସ ଦଂପତିଙ୍କ ବିଳାସପୂର୍ଣ୍ଣ ଘଣ୍ଟା ସଉକ । ଘରୁ ମିଳିଛି ୪୮ଟି ନାମୀଦାମୀ ବ୍ରାଣ୍ଡର ଘଣ୍ଟା । ଯାହାର ଦାମ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ବିହାରର ଦୁଇ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀ ଦମ୍ପତିଙ୍କ ଘରେ ଚଢ଼ାଉ ବେଳେ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ପାଟନାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଯୋଗାଣ) ରବୀନ୍ଦ୍ର କୁମାର ଦିବାକର ଓ ତାଙ୍କ ପତ୍ନୀ ତଥା ଦାନାପୁରର ଜିଲ୍ଲା ସବ୍-ରେଜିଷ୍ଟ୍ରାର କୁମାରୀ ସ୍ୱିଟିଙ୍କ ନାଁରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ପ୍ରାୟ ୮୦ ଲକ୍ଷରୁ ୧ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଟଙ୍କା ଗଣି ଗଣି ଥକିଛି ମେସିନ । ଏଥିସହ ବିପୁଳ ସୁନାଗହଣା ମିଳିଛି ।
ପାଟନାରେ ଥିବା ଏଡିଏମ ରବୀନ୍ଦ୍ର କୁମାର ଦିବାକର ବାସଭବନ ଓ ବେଗୁସରାଇ ସ୍ଥିତ ପୈତୃକ ଘରେ ଏକସଙ୍ଗେ ଚଢ଼ାଉ କରାଯାଇଛି । ପାଟନା ସ୍ଥିତ ବାସଭବନରୁ ଏଯାଏ ନଗଦ ୭୦ ଲକ୍ଷ ଟଙ୍କା ଓ ୪୮ଟି ପ୍ରିମିୟମ ବ୍ରାଣ୍ଡର ବିଳାସପୂର୍ଣ୍ଣ ଘଣ୍ଟା ମିଳିଛି । ସେହିପରି ବେଗୁସରାଇ ପୈତୃକ ଘରୁ ୯ ଲକ୍ଷରୁ ଅଧିକ ଟଙ୍କା ଓ ବହୁ ଅଳଙ୍କାର ମିଳିଛି ।
ପାଟନାରେ ରବୀନ୍ଦ୍ର ଓ ତାଙ୍କ ପତ୍ନୀ କୁମାରୀ ସ୍ବିଟିଙ୍କ ନାଁରେ ଦୁଇଟି ଫ୍ଲାଟ ରହିଛି । ପାଟନାରେ ୩ଟି ପ୍ଲଟ ଥିବା ବେଳେ ଏହାର ଦାମ କୋଟିଏ ୨୮ ଲକ୍ଷ ଟଙ୍କା ହେବ । ଜବତ ସୁନା ଓ ହୀରା ଗହଣାର ମୂଲ୍ୟ ୫୨ଲକ୍ଷ ୬୦ହଜାରରୁ ଅଧିକ। ପ୍ରାଥମିକ ତଦନ୍ତରୁ ଏହି ପ୍ରଶାସନିକ ଦମ୍ପତିଙ୍କ ପାଖରେ ସେମାନଙ୍କ ବୈଧ ଆୟ ତୁଳନାରେ ୪୭% ଅଧିକ ସମ୍ପତ୍ତି ଥିବା ଜଣାପଡ଼ିବା ପରେ ଗତ ୨୫ ତାରିଖରେ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିଲା । ରବୀନ୍ଦ୍ର କୁମାର ଦିବାକର ୨୦୦୦ ମସିହାରେ ଜଣେ ଶିକ୍ଷକ ଭାବେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ପରେ ରାଜ୍ୟ ସିଭିଲ୍ ସେବାରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତିଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ LIC ଇନଭେଷ୍ଟମେଣ୍ଟକୁ ଫ୍ରିଜ୍ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
