ରୁଷୀୟ ବୋମା ବିସ୍ଫୋରଣରେ ୟୁକ୍ରେନର ୫ ସାଧାରଣ ନାଗରିକ ମୃତ

youtube

ରୁଷ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ରୁଷୀୟ ସେନା ଶୁକ୍ରବାର ସକାଳେ ସାଉଥ୍ ୟୁକ୍ରେନର ଜାପୋରିଝିଆ ସହର ଉପରେ ୩ଟି ଶକ୍ତିଶାଳୀ ଗ୍ଲାଇଡ୍ ବୋମା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ କିଶୋରୀ ସମେତ ୧୦ ଜଣ ଏଥିରେ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ।

ସୂଚନାନୁଯାୟୀ, ଏହି ବୋମା ବିସ୍ଫୋରଣରେ ନଅ ମହଲା ଏବଂ ପାଞ୍ଚ ମହଲା କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଅନେକ ଆପାର୍ଟମେଣ୍ଟ ଏବଂ ସ୍ଥାନୀୟ ବଜାର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ଟ୍ରମ୍ପଙ୍କ ଦଳ ୩୦ ଦିନିଆ ଅସ୍ତ୍ରବିରତି ଏବଂ ଶାନ୍ତି ଆଲୋଚନା ପାଇଁ ଏକ ପ୍ରସ୍ତୁତି ଆରମ୍ଭ କରିଛି ।

ଅନ୍ୟପଟେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଶୁକ୍ରବାର ଦିନ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ଟ୍ରମ୍ପଙ୍କୁ ଭେଟିବେ । ଜାପୋରିଝିଆ ଉପରେ ଆକ୍ରମଣର ନିନ୍ଦା କରିଛନ୍ତି ଜେଲେନସ୍କି । ଏହା ବ୍ୟତୀତ ସେ କହିଛନ୍ତି ଯେ, “ରୁଷ ଶାନ୍ତି ଚାହୁଁନାହିଁ । ଯେତେବେଳେ ବିଶ୍ୱ ଯୁଦ୍ଧ ବନ୍ଦ କରିବା କଥା କହୁଛି, ସେତେବେଳେ ସେ ସାଧାରଣ ନାଗରିକଙ୍କ ଉପରେ ବୋମାମାଡ଼ କରୁଛି ।” ସେ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ରୁଷ ଉପରେ କଠୋର କଟକଣା ଲାଗୁ କରିବାକୁ ନିବେଦନ କରିଛନ୍ତି । କିନ୍ତୁ ଆକ୍ରମଣ ଉପରେ ରୁଷ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।

Leave A Reply

Your email address will not be published.