
କୋଟପାଡ଼, ୨୨/୧୧: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଶିକ୍ଷା ବିଭାଗରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ସମୟରେ ନିଜର କାର୍ଯ୍ୟକଳାପ ପାଇଁ ବିବାଦରେ ରହୁଥିବା କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ପୁଣିଥରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ପୂର୍ବରୁ ବଟି ଆଦାୟ ଅଭିଯୋଗ ଓ ମନମୁଖୀ ଶାସନକୁ ନେଇ ଅସନ୍ତୋଷ ଥିବାବେଳେ, ଏବେ ଜଣେ ଶିକ୍ଷକଙ୍କ ପୋଷ୍ଟାଲ ଚିଠିକୁ ଗ୍ରହଣ ନକରି ଫେରାଇ ଦେବା ଘଟଣା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, କିଛିଦିନ ତଳେ ଭନସୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଈଶ୍ୱର ଭଣ୍ଡାରୀ ଏକ ଜରୁରୀ ପତ୍ର ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ତେବେ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଚିଠିକୁ ଗ୍ରହଣ କରାଯାଇନଥିଲା ଏବଂ ବିନା କାରଣରେ ଫେରାଇ ଦିଆଯାଇଥିଲା। ଲଫାପା ଭିତରେ କଣ ରହିଛି ତାହା ନଦେଖି ଜଣେ ସରକାରୀ ଅଧିକାରୀ କିଭଳି ଅଧସ୍ତନ କର୍ମଚାରୀଙ୍କ ଚିଠିକୁ ଅଗ୍ରାହ୍ୟ କଲେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ବିଇଓଙ୍କ ବ୍ୟକ୍ତିଗତ ଆକ୍ରୋଶ ଓ ଏକଚାଟିଆ ମନୋଭାବର ପରିଚୟ ବୋଲି ସାଧାରଣରେ ଆଲୋଚନା ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଉକ୍ତ ବିଇଓଙ୍କ ନାମରେ ଏକାଧିକ ଗୁରୁତର ଅଭିଯୋଗ ରହିଛି। ଅଭିଯୋଗ ମୁତାବକ, ମାସିକ ୧୦ ହଜାର ଟଙ୍କା ବଟି ନଦେବାରୁ ପ୍ରଧାନଶିକ୍ଷକ ଈଶ୍ୱର ଭଣ୍ଡାରୀଙ୍କୁ ଆକ୍ରୋଶମୂଳକ ଭାବେ କୋଲନୀ ନମ୍ବର-୪କୁ ଡେପୁଟେସନ କରାଯାଇଥିଲା। ଏନେଇ ଏକ ଅଡିଓ ରେକର୍ଡିଂ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, କିନ୍ତୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଯାବତ କୌଣସି ତଦନ୍ତ କରିନାହାନ୍ତି। ଏହା ବ୍ୟତୀତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମୁଖ୍ୟାଳୟରେ ନରହିବା ଏବଂ ସରକାରୀ ନିୟମକୁ ଉଲ୍ଲଂଘନ କରି ଲୋକପ୍ରତିନିଧି ଓ ଗଣମାଧ୍ୟମକୁ ଅଣଦେଖା କରି ବାଳ ବୈଜ୍ଞାନିକ ମେଳା ଆୟୋଜନ କରିବା ଘଟଣା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅଧିକାରୀଙ୍କ ଏଭଳି “ହିଟଲର ଶାସନ” ଓ ଖାମଖିଆଲି ମନୋଭାବ ଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୁଖୀ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଭୁଲ୍ କରି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପଛରେ କାହାର ହାତ ଅଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା।