ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର: ସିବିଆଇ ତଦନ୍ତ ପାଇଁ ଦାବି କଲା ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ୍‌

newyr25

ବଲାଙ୍ଗୀର : କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମିବାର ନାଁ ନେଉନାହିଁ। ମଙ୍ଗଳବାର ବଲାଙ୍ଗୀର ଏସ୍‌ପି ଅଫିସକୁ ବଲାଙ୍ଗୀର ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ ଯାଇ ଗୁରୁତର ଅଭିଯୋଗ ଆଣିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ବିରାଟ ଷଡ଼ଯନ୍ତ୍ର ରହିଛି ଏବଂ ଏହାର ତଦନ୍ତ ଜରୁରୀ ବୋଲି ଦାବି କରିଛନ୍ତି। ଏସ୍‌ପି ଅଫିସକୁ ଯାଇ ସଙ୍ଗଠନର ପ୍ରତିନିଧିମାନେ ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଏବଂ ପ୍ରଶାନ୍ତ ବିରୋଧରେ ଅଭିଯୋଗ କରିଥିଲେ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ସମୟରେ ମଧ୍ୟ ଷ୍ଟେଜ୍‌ ଶୋ’ କରିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଅସୁସ୍ଥ ହ୍ୟୁମାନଙ୍କୁ ଜୋରଜବରଦସ୍ତ ଷ୍ଟେଜ୍‌କୁ ନେଇ ପ୍ରୋଗ୍ରାମ କରି ତାଙ୍କ ଜୀବନକୁ ବିପଦକୁ ଠେଲି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଏପରିକି ହ୍ୟୁମାନଙ୍କ ମା’ଙ୍କୁ ମ୍ୟାନେଜର ଦିନେଶ ଯେଉଁଭଳି ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାକୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅସୁସ୍ଥ ହ୍ୟୁମାନଙ୍କୁ ନିଜର ଆର୍ଥିକ ଲାଭ ପାଇଁ ବ୍ୟବହାର କରାଯାଉଥିବା ଏବଂ ତାଙ୍କର ଅର୍ଥ ସଂକ୍ରାନ୍ତୀୟ ନେଣଦେଣକୁ ମଧ୍ୟ ସେହି ଦୁଇ ମ୍ୟାନେଜର ପରିଚାଳନା କରୁଥିବା ଅଭିଯୋଗ ଆଣି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ଦାବି ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମ୍ରିତ କୁମାର ପଣ୍ଡାଙ୍କୁ ଖ୍ରୀଷ୍ଟିଆନ ୟୁଥ୍‌ ଫୋରମ ପକ୍ଷରୁ ଅଭିଯୋଗପତ୍ର ଦିଆଯାଇଛି।

Leave A Reply

Your email address will not be published.