ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଆସନ୍ତାକାଲି ‘ସେକେଣ୍ଡାରୀ ସ୍କୁଲ୍ ଟିଚର୍ସ ଏଲିଜିବିଲିଟି ଟେଷ୍ଟ’ (OSSTET) ୨୦୨୬ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟ ବା ପେପର (ପେପର-I ଏବଂ ପେପର-II) ରେ ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏକକାଳୀନ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀ ମାନଙ୍କୁ ସକାଳ ୭ଟା ୪୫ ମିନିଟ୍ ସୁଦ୍ଧା ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି। ସମଗ୍ର ଓଡ଼ିଶାରେ ମୋଟ ୨୬୧ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଠାରେ ୫୯,୩୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ୩୦ ଜିଲ୍ଲାର ୨୬୧ କେନ୍ଦ୍ରରେ ପରୀକ୍ଷା ହେବ|
BSE ସ୍ପଷ୍ଟ କରିଛି ଯେ ‘ଓଡ଼ିଶା ବନ୍ଦ’ ଯୋଗୁଁ ପରୀକ୍ଷା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ପରୀକ୍ଷା କେନ୍ଦ୍ରକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ଅଟକାଇବା କିମ୍ବା ବାଧା ସୃଷ୍ଟି ନ କରିବାକୁ ବୋର୍ଡ ସଭାପତି ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ପାଇଁ ଯୋଗ୍ୟତା ହାସଲ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ OSSTET ପରୀକ୍ଷା ଆୟୋଜନ କରାଯାଇଥାଏ। ଏହି ପରୀକ୍ଷାରେ ବସିବା ପାଇଁ ଆବଶ୍ୟକ ସର୍ବନିମ୍ନ ଯୋଗ୍ୟତା ମଧ୍ୟରେ B.Ed ଡିଗ୍ରୀ ଅନ୍ୟତମ।
୧୫୦ ମାର୍କ ବିଶିଷ୍ଟ ଏହି ପରୀକ୍ଷା OMR ସିଟ୍ ମାଧ୍ୟମରେ ଅନୁଷ୍ଠିତ ହେବ। ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କୁ ଉତ୍ତୀର୍ଣ୍ଣ ହେବା ପାଇଁ ଅତିକମରେ ୬୮ ମାର୍କ ରଖିବାକୁ ପଡ଼ିବ।ଯେତେବେଳେ କି SC, ST, OBC ଏବଂ PwD ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଉତ୍ତୀର୍ଣ୍ଣ ମାର୍କ ୫୩ ରହିଛି।
