
ଭୁବନେଶ୍ବର : ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆଜି ଦୁଇଦିନିଆ ଓଡିଶା ବିକାଶ ସମାବେଶ ଉଦ୍ଘାଟନ ହୋଇଛି । ଏହି ସମାବେଶର ବିଭିନ୍ନ ଅଧିବେଶନ ଆୟୋଜିତ ହେବ । ଏଥିରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ ଓଡ଼ିଶାର ନକ୍ସା ସହିତ ବିଭିନ୍ନ ସୁପାରିଶ ଗ୍ରହଣ କରାଯିବ। ନୁଆ ଦୃଷ୍ଟିକୋଣର ବିକାଶ ପାଇଁ ଏହା ଉଦ୍ୟମ କରିବାକୁ ଲକ୍ଷ ରଖାଯାଇଛି ।
୨୦୩୬ ମସିହାରେ ଓଡିଶା ତାର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ଓଡିଶାକୁ ଏକ ଅଗ୍ରଣୀ ଜଳବାୟୁ ସହନଶୀଳ ରାଜ୍ୟ କରିବାକୁ ଲକ୍ଷ ନେଇ ଓଡିଶା ବିକାଶ କନକ୍ଲେଭ ଆୟୋଜନ ହେଉଛି । ଆଗାମୀ ଦଶନ୍ଧି ପରେ ଏହି ଅବସର ପାଳନ କରିବାକୁ ଯାଉଛି ଓଡ଼ିଶା । ଏଥି ପାଇଁ ନୁଆ ଦୃଷ୍ଟିଭଙ୍ଗୀ ସହିତ ସନ୍ତୁଳିତ ବିକାଶର ନକ୍ସା ନିରୂପଣ ପାଇଁ ୫୦୦ ପ୍ରତିନିଧି ଏକାଠି ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ, ରାଜ୍ୟ ସରକାର, ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ୪୦ରୁ ଅଧିକ ସଦସ୍ୟ ଏହାକୁ ଆୟୋଜନ କରିଛନ୍ତି । ଆୟୋଜକ ଅନୁଷ୍ଠାନ ଲୋକ କୈନ୍ଦ୍ରିକ ବିକାଶ, ନ୍ୟାୟ ସଙ୍ଗତ ବଜାର ଓ ପ୍ରକୃତି ସହିତ ସମନ୍ବୟରକ୍ଷାକାରି ପଦକ୍ଷେପ ଗୁଡ଼ିକ ବାବଦରେ ଚିନ୍ତନ ମନ୍ଥନ କରିବାକୁ ଲକ୍ଷ ରଖିଥିବା କହିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସିୱାଇଏସଡ଼ି ସହ ପ୍ରତିଷ୍ଠାତା ଜଗଦାନନ୍ଦ ଓ ବିଶିଷ୍ଟ ସମାଜ ବିଜ୍ଞାନୀ ରାଜେଶ ଟଣ୍ଡନ ଗ୍ରାମାଞ୍ଚଳର ଉନ୍ନତି, ଜଳବାୟୁ ପରିବର୍ତ୍ତନ ସହନଶୀଳତା ଓ ଲୋକ ଭାଗିଦାରିତା ଉପରେ ଆଲୋକପାତ କରିଛନ୍ତି ।