“ଏ ମାଟି ମୋର କେତେ ନିଜର” : ୧୫ ବର୍ଷ ପରେ ବିଧାନସଭା ଗୃହରେ ମହାମହିମ, ବାଣ୍ଟିଲେ ଅନୁଭୂତି, ଦେଲେ ବିକଶିତ ଓଡ଼ିଶାର ମନ୍ତ୍ର

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ଆଜି ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦୀର୍ଘ ୧୫ ବର୍ଷ ପରେ ନିଜ ପୁରୁଣା କର୍ମଭୂମିକୁ ଫେରିଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ ତଥା ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଏକ ବିରଳ ତଥା ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ମହାମହିମ ଗୃହକୁ ସମ୍ବୋଧିତ କରି କହିଥିଲେ, “ମା’ଟି ମୋର କେତେ ନିଜର… ଏହି ଗୃହ ମୋର ଫାଉଣ୍ଡେସନକୁ ସୁଦୃଢ଼ କରିଛି।”
ସ୍ମୃତିର ସାଉଁଟା ପେଡ଼ି ଓ ଭାବବିହ୍ୱଳ ମୁହୂର୍ତ୍ତ
ବିଧାନସଭା ଗୃହରେ ପ୍ରବେଶ କରିବା କ୍ଷଣି ରାଷ୍ଟ୍ରପତି ଅତୀତର ସ୍ମୃତିରେ ହଜି ଯାଇଥିଲେ। ବିଧାୟକ, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ବିଶ୍ୱର ଅନେକ ଗୃହରେ ଭାଷଣ ଦେବାର ସୁଯୋଗ ମିଳିଛି, କିନ୍ତୁ ନିଜ ଘରେ କହିବାର ଅନୁଭୂତି ନିଆରା। ସେ କହିଥିଲେ, “ମୁଁ ଏଠାରୁ କଥା କହିବା ଶିଖିଛି। ଜଣେ ରାଜନେତା ହିସାବରେ ଲୋକଙ୍କ ସହ କିପରି ବ୍ୟବହାର କରିବାକୁ ହୁଏ ଏବଂ ପ୍ରସଙ୍ଗ ଉପସ୍ଥାପନ କରିବାକୁ ହୁଏ, ତାହା ଓଡ଼ିଶା ବିଧାନସଭା ମୋତେ ଶିଖାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ମୁଁ ଆଜି ଏହି ସ୍ଥାନରେ ନଥାନ୍ତି।” ଅତୀତର ସହଯୋଗୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅନ୍ୟ ବିଧାୟକମାନଙ୍କ ସହ ଏକାଠି ବସିବାର ସ୍ମୃତିକୁ ସେ ମନେ ପକାଇଥିଲେ।
ବିକଶିତ ଓଡ଼ିଶା ଓ ମହିଳା ସଶକ୍ତୀକରଣର ବାର୍ତ୍ତା
ନିଜ ଅଭିଭାଷଣରେ ରାଷ୍ଟ୍ରପତି ଓଡ଼ିଶାର ଗୌରବମୟ ଇତିହାସ, ପାଇକ ବିଦ୍ରୋହ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇଥିଲେ। ଓଡ଼ିଶାର ନାରୀ ଶକ୍ତିର ଭୂୟସୀ ପ୍ରଶଂସା କରି ସେ ରମାଦେବୀ, ସାରଳା ଦେବୀ ଓ ନନ୍ଦିନୀ ଶତପଥୀଙ୍କ ଭଳି ନେତ୍ରୀଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବର୍ତ୍ତମାନର ମୋହନ ଚରଣ ମାଝୀଙ୍କ ସରକାରକୁ ପ୍ରଶଂସା କରି ସେ କହିଥିଲେ ଯେ, କମ୍ ଦିନ ମଧ୍ୟରେ ରାଜ୍ୟ ସରକାର ‘ସୁଭଦ୍ରା ଯୋଜନା’ ଏବଂ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ୨୦୩୬ ମସିହାରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ହେଲେ ୨୦୪୭ର ବିକଶିତ ଭାରତ ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ମାଟିର ଝିଅ ପାଇଁ ଗର୍ବିତ ଓଡ଼ିଶା
ଏହି ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଆଜିର ଦିନ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସଂଘର୍ଷରୁ ଶିଖରରେ ପହଞ୍ଚିଥିବା ମାଟିର ଝିଅଙ୍କ ମାର୍ଗଦର୍ଶନ ଆମ ପାଇଁ ପ୍ରେରଣାର ଉତ୍ସ। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, “ଆମେ ସମସ୍ତେ ଗର୍ବିତ ଯେ ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି।” ରାଜ୍ୟପାଳ ରଘୁବର ଦାସ ମଧ୍ୟ ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ଚିରସ୍ମରଣୀୟ ବୋଲି ଅଭିହିତ କରିଥିଲେ।
୧୧ ନମ୍ବର ପ୍ରକୋଷ୍ଠ ଓ ପୁରୁଣା ସ୍ମୃତି
ବିଧାନସଭାରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା ସମୟରେ ସେ ବସୁଥିବା ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠକୁ ଯାଇ କିଛି ସମୟ ବିତାଇଥିଲେ। ବିଧାନସଭା ସଚିବାଳୟ ପକ୍ଷରୁ ଏହି କକ୍ଷକୁ ନୂଆ ରୂପ ଦିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସେ ରାଜଭବନ ଫେରି ରାଜ୍ୟପାଳଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି, ଯାହା ରାଜ୍ୟ ରାଜନୀତି ଇତିହାସରେ ଏକ ବିରଳ ଘଟଣା। ଆସନ୍ତାକାଲି (୨୮ ତାରିଖ) ସକାଳେ ରାଷ୍ଟ୍ରପତି ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ।