ମହାମହିମ ପଢିଲେ କବିତା

youtube

ଭୁବନେଶ୍ବର: ଓଡିଶାବିଧାନସଭା ପାଇଁ ଆଜି ଏକ ଐତିହାସିକ ମୁହୂର୍ତ୍ତ ଏବଂ ସ୍ମରଣୀୟ ଦିନ । ଯାହା କେବେ ଓଡିଶା ବିଧାନସଭା ଇତିହାସରେ ହେଇନଥିଲା ତାହା ଆଜି ହେଲା । ଓଡିଶାର ବିଧାନସଭାକୁ ସମ୍ବୋଧନ କଲେ ରାଷ୍ଟ୍ରପତି । ଉତ୍କଳ ମାଟିର ସୁପୁତ୍ରୀ ତଥା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାରେ ନିଜର ଅଭିଭାଷଣ ରଖିବା ପରେ ଏହି ମୁହୂର୍ତ୍ତ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ସବୁଦିନ ପାଇଁ ରହିଗଲା । ଏହି ଗୌରବମୟ କାର୍ଯ୍ୟକ୍ରମ ରାଜ୍ୟ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ହୋଇ ଚିର କାଳ ରହିଗଲା । ତାସହ ମହାମହିମଙ୍କ ପ୍ରତିଟି କଥାରେ ପ୍ରେରଣା ଏବଂ ଉତ୍ସାହ ଭରି ରହିଥିଲା । ୨୦ ମିନିଟର ଭାଷଣରେ ରାଷ୍ଟ୍ରପତି ଅନେକ କଥା କହିଥିବା ବେଳେ କବିତାର ଅନେକ ଧାଡି ଭାଷଣ ମଝିରେ କହିଥିଲେ ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା…
ଆଜିର ଏ ଦିନ ଏମିତି ଲାଗୁଛି ସତେ ଯେମିତି ମୁଁ ମୋ ନିଜ ଘରକୁ ଫେରିଛି । ମାଆ ଏବଂ ମାଟିର କଥା କହି ଛୋଟ ବେଳର ଗୀତ ମନେପକାଇ କବିତାର ଧାଡି ଗାଇଥିଲେ ରାଷ୍ଟ୍ରପତି…
‘ମାଆଟି ମୋର କେଡ଼େ ନିଜର ତା ପରି କେହି ନାହିଁ
ତା ପାଦ ଧୂଳି, ଚନ୍ଦନ ଭଳି… ମଥାରେ ଦିଏ ମୁଁ ବୋଳି’
ଗଣତନ୍ତ୍ରର ଅର୍ଥ ବୁଝାଇବାକୁ ଯାଇ ମହାମହିମ କହିଛନ୍ତି । ଗଣ ବିନା ଗଣତନ୍ତ୍ର ନାହିଁ । ଜନଗଣ ହିଁ ଭାରତର ଭାଗ୍ୟ ବିଧାତା । ସେମାନଙ୍କ ଠାରେ ଅସୀମ ଶକ୍ତି ନିହିତ । ଲୋକଶକ୍ତି ଉପରେ ସବୁବେଳେ ଗୁରୁତ୍ବ ଦିଆଯାଇଛି । ଏହି କଥାକୁ ଅଧିକ ବୋଧଗମ୍ୟ କରିବା ପାଇଁ ରାଷ୍ଟ୍ରପତି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କବିତାର କିୟଦଂଶ ଉଦ୍ଧାର ପଢିଥିଲେ-
ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି
ପ୍ରଜା ଲାଗି ଇନ୍ଦ୍ର କଲେ ଜଳ ବୃଷ୍ଟି
ପ୍ରଜା ଲାଗି ଉଦେ ରବି-ଶଶି-ତାରା
ପ୍ରଜା ଲାଗି ବହେ ଶତ ନଦୀ ଧାରା
ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ
ଯୁଗେଯୁଗେ ଏହା ଶାସ୍ତ୍ରର କଥନ…
ଗୋପବନ୍ଧୁ ଦାସଙ୍କ କବିତା ପଢି ଏହାର ମର୍ମ ବୁଝାଇଲେ ମହାମହିମ । କହିଲେ ଏହାର ଅର୍ଥ ହେଉଛି କାଳେ କାଳେ ଶାସନର ଡୋରି ପ୍ରଜା ବା ଜନତାଙ୍କ ହାତରେ ଥାଏ । ଆପଣମାନେ ଜନଗଣଙ୍କ ପ୍ରତିନିଧି, ସେମାନଙ୍କ ସେବକ। କେତେ ଆଶା, ଭରସା, ବିଶ୍ବାସ ନେଇ ସେମାନେ ଆପଣଙ୍କ ହାତରେ କ୍ଷମତା ଦେଇଛନ୍ତି । ସେମାନଙ୍କ ଆଶା ପୂରଣ କରିବା, ସେମାନଙ୍କ ସ୍ବପ୍ନ ପୂରା କରିବା ଏବଂ ସର୍ବୋପରି ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣମାନଙ୍କର ଏବଂ ଆମ ସମସ୍ତଙ୍କର କର୍ତ୍ତବ୍ୟ । ଆପଣ ଏମିତି କାମ କରିବେ ଯାହା ସାଧାରଣ ଲୋକଙ୍କ ହିତ ପାଇଁ ଉଦିଷ୍ଟ ।
ଜନପ୍ରତିନିଧି ଭାବେ ଆପଣମାନେ ସାରା ରାଜ୍ୟରେ ଚିହ୍ନାମୁହଁ । ଆପଣ କଣ କହୁଛନ୍ତି ଓ କଣ କରୁଛନ୍ତି ଲୋକ ଜାଣିବା ପାଇଁ ଚେଷ୍ଟା କରନ୍ତି । ଉଚ୍ଚାରଣ ଓ ଆଚରଣ ଅନେକ ଗୁରୁତ୍ବପୂର୍ଣ୍ଣ । ଲିଡର ଯାହା କରିବେ ଜନତା ତାକୁ ଅନୁକରଣ କରିବେ ।

Leave A Reply

Your email address will not be published.