ବିଶ୍ବ ଦରବାରରେ ପୁଣି ଚମକିବ ଡଙ୍ଗରିଆଙ୍କ ‘କାପଡ଼ାଗୁନ୍ଦା’: ନିୟମଗିରି ସାଲ୍ କଳାକୃତିକୁ ମିଳିବ ନୂଆ ପରିଚୟ

youtube

କୋରାପୁଟ : ପୁଣି ଚମକିବ ନିୟମଗିରିର କପଡାଗୁନ୍ଦା। ନୂଆ ଡିଜାଇନ ସହ ବଜାରକୁ ଆସିବ ବିରଳ ଜନଜାତି ତାଙ୍ଗରିଆଙ୍କ କପଡ଼ାଗୁନ୍ଦା କଳାକୃତି। ଶହ ଶହ ବର୍ଷ ଧରି ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ଅଞ୍ଚଳର କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଲାଞ୍ଜିଗଡ ବ୍ଲକରେ ବସବାସ କରୁଥିବା ଡାଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନେ ଏହି ସାଲ୍‌କୁ ବୁଣିଥାନ୍ତି। ବିଭିନ୍ନ ଜାନିଯାତ୍ରା ସମେତ ଶୁଭ କାର୍ଯ୍ୟରେ ଏହି ସାଲ୍‌କୁ ବ୍ୟବହାର କରାଯାଇଥାଏ। ଏହି କପଡାଗୁନ୍ଦାର ଚାହିଦା ବେଶ ରହିବାରୁ ବୁଣାକାରମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ବିଶେଷକରି କୁର୍ଲି ପଂଚାୟତର ଡଙ୍ଗରିଆଙ୍କ ହାତବୁଣା ସାଲ୍ ବା କପଡାଗୁନ୍ଦାର ପ୍ରଚାର ପ୍ରସାର ତଥା ମାର୍କେଟିଂ ବ୍ୟବସ୍ଥା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି।
ବିରଳ ହସ୍ତଶିଳ୍ପ କଳାକୃତି ମଧ୍ୟରେ ଡଙ୍ଗରିଆଙ୍କ ଦ୍ବାରା ଉତ୍ପାଦିତ ସାଲ୍‌ର ଚାହିଦା ବିଶ୍ଵ ଦରବାରରେ ରହିଛି। ସାଲ୍‌ର ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଆମ ରାଜ୍ୟ ସମେତ ଦେଶ, ବିଦେଶରେ ଏହାର ବେଶ ଚାହିଦା ରହିଛି। ଏଥିପାଇଁ ଡଙ୍ଗରିଆ ବୁଣାକାରମାନଙ୍କୁ ଅଧିକରୁ ଅଧିକ କୁଶଳୀ କରି ସେମାନଙ୍କୁ ସ୍ବବାଲମ୍ବୀ କରିବା ପାଇଁ ଆଦି ଶିଳ୍ପୀ ଯୋଜନାରେ ତାଲିମ ଆରମ୍ଭ କରାଯାଇଛି। ଗତବର୍ଷ ଏହି ଡଙ୍ଗରିଆ ସାଲ୍ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଛି। ବର୍ତ୍ତମାନ ରାଜ୍ୟ ସରକାର ଏହି କାପଡାଗୁନ୍ଦା ସାଲ୍‌କୁ ନୂଆ ରୂପ ଦେବା ସହ ଡଙ୍ଗରିଆଙ୍କ ହସ୍ତଶିଳ୍ପ ଡିଜାଇନ୍‌କୁ ଟାଇ, ଉତ୍ତରୀୟ ଦୁପଟା, କ୍ୟାରି ବ୍ୟାଗ ପାଇଁ ୩୦ ଡଙ୍ଗରିଆ ମହିଳାଙ୍କୁ ଦିଆଯାଉଛି ପ୍ରଶିକ୍ଷଣ।
ଝୁଲା ମୁଣି, ମୋବାଇଲ୍ କଭର, ଫୋଲଡର୍‌ କଭର, ଟି ଫଟୋ କଭର ସମେତ ବିଭିନ୍ନ ସାମଗ୍ରୀରେ ଡଙ୍ଗରିଆ କଳାକୃତିର ଝଲକକୁ ଦେଖାଇବାକୁ ଚାହୁଁଛନ୍ତି ଏହି ବିରଳ ଜନଜାତି ଡଙ୍ଗରିଆ। ହସ୍ତଶିଳ୍ପ ବିଭାଗ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଉଦ୍ୟମରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ, ରାୟଗଡା ଶାଖାର ଚାଟିକୋଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରଶିକ୍ଷଣ କେନ୍ଦ୍ରରେ ୩୦ ଜଣ ଡଙ୍ଗରିଆ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ଶିବିରରେ ଡଙ୍ଗରିଆ ମହିଳାମାନଙ୍କୁ କାପଡାଗୁନ୍ଦା ସାଲ ବୁଣା କାରୁକାର୍ଯ୍ୟକୁ କିପରି ଅଧିକରୁ ଅଧିକ ସୁକ୍ଷ୍ମ କରିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏହି ଡିଜାଇନ୍‌କୁ ମୋବାଇଲ କଭର ଝୁଲାମୁଣି, ଉତ୍ତରୀୟ ଦୁପଟ୍ଟା, ଚୁନରିରେ ସ୍ଥାନୀତ କରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦିଆଯିବା ସହ ପ୍ରସ୍ତୁତି ମଧ୍ୟ ଚାଲିଛି। କାପଡାଗୁନ୍ଦା ସାଲ୍, ଏବେ ଆନ୍ତର୍ଜାତିକ ବଜାରରେ ୫ହଜାରରୁ ଅଧିକା ଟଙ୍କାରେ ବିକ୍ରି ହେଉଛି। ଥରେ ଯିଏ ଏହି ସାଲ ସଂସ୍ପର୍ଶରେ ଆସିଛି ସେ କଳାକୃତିକୁ ଦେଖି ଡଙ୍ଗରିଆଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଢଙ୍ଗରିଆ ସାଲ୍ ଆକର୍ଷଣ ସାଜିବା ପରଠୁ ଡଙ୍ଗରିଆଙ୍କ ହସ୍ତଶିଳ୍ପ ଡିଜାଇନ୍ ଦ୍ବାରା ବିଭିନ୍ନ ସାମଗ୍ରୀ ତିଆରି କରିବାକୁ ରାଜ୍ୟ ସରକାର ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ କୁର୍ଲି ଗ୍ରାମ ପଞ୍ଚାୟତର ୩୦ ମହିଳାଙ୍କୁ ୬ ମାସ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ମାଝି ଉଦ୍‌ଘାଟନ କରିଥିଲେ। ପ୍ରଶିକ୍ଷକ ଭାବେ ସ୍କାର୍ପ ଡିଜାଇନର ଲିପ୍‌ସା ହେମ୍ରମ୍ବ ଡଙ୍ଗରିଆ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଶିକ୍ଷଣ ଦିବସରେ ମହିଳାମାନଙ୍କୁ ୩୦୦ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ମହିଳାମାନେ ପ୍ରଶିକ୍ଷଣ ପାଇବା ପରେ ନିଜ ନିଜ ଅଞ୍ଚଳର ମହିଳା ଏବଂ ଝିଅମାନଙ୍କୁ ଏହି କଳାକୃତି ବୁଣିବାର ପ୍ରଶିକ୍ଷଣ ମଧ୍ୟ ଦେବେ। ଯାହା ଫଳରେ ଆଦିମ ଜନଜାତି ଡଙ୍ଗରିଆଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ସବୁ ଖୋଲା ବଜାରରେ ଉପଲବ୍ଧ ହୋଇପାରିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼, କଲ୍ୟାଣସିଂହପୁର ଓ ମୁନିଗୁଡା ବ୍ଲକର ଡାଙ୍ଗରିଆଙ୍କୁ ସାମିଲ କଲେ ଏହି ସାଲର ଜନଜାତିର ଗୌରବ ମଣ୍ଡିତ ହେବାସହ ୪ଟି ବ୍ଲକର ଡାଙ୍ଗରିଆ ମହିଳା, ଯୁବତୀମାନେ ଉପକୃତ ହୋଇପାରିବେ।

Leave A Reply

Your email address will not be published.