
ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ଏଡ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୫ ବର୍ଷର ତଥ୍ୟ ଅନୁସାରେ, ପ୍ରତିବର୍ଷ ତିନି ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଏଡ୍ସ ନ ବ୍ୟାପିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ବି ସ୍ଥିତିରେ ସୁଧାର ଆସୁନି। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ନବରଙ୍ଗପୁରରେ ଅଧିକ ଏଡ୍ସ ରୋଗୀ ଚିହ୍ନଟ ହେଉଛନ୍ତି।
ରାଜ୍ୟରେ ଏବେ ଏଡ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ରାଜ୍ୟର ୩୦ ଜିଲାରୁ ୧,୪୧,୩,୬୧୬ ପରୀକ୍ଷଣ ହୋଇଥିବାବେଳେ ୨,୪୬୨ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ଗଞ୍ଜାମରୁ ୧,୭୧,୦୦୭ ପରୀକ୍ଷଣରୁ ୩୫୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ଖୋର୍ଦ୍ଧା ଜିଲା। ଏହି ଜିଲାରେ ୧,୩୮,୭୩୫ ପରୀକ୍ଷଣରୁ ୩୩୮, କଟକରେ ୧,୦୦,୦୮୦ରୁ ୨୬୧, ସମ୍ବଲପୁରରୁ ୯୫,୪୫୦ରୁ ୧୯୫, ସୁନ୍ଦରଗଡ଼ରେ ୪୫,୪୪୦ରୁ ୧୨୧, ଅନୁଗୋଳରେ ୬୪,୨୦୮ରୁ ୧୧୫ ଏବଂ ବଲାଙ୍ଗୀର ଜିଲାରେ ୪୦,୮୯୩ ପରୀକ୍ଷଣରୁ ୧୧୦ ଜଣ ଏଡ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଅନ୍ୟାନ୍ୟ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ୨୦୩୦ ସୁଦ୍ଧା ରାଜ୍ୟକୁ ଏଡ୍ସ ମୁକ୍ତ ପାଇଁ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ। ଏଡ୍ସ ସଚେତନତାରୁ ନେଇ ପରୀକ୍ଷା, ଚିକିତ୍ସା ଏବଂ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ରାଜ୍ୟରେ ଏବେ ୧୬୭ ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ପିପିପି ମୋଡରେ ୭ଟି ଆଇସିଟିସି ଏବଂ ୧୨୩୨ ସ୍କ୍ରିନିଂ କେନ୍ଦ୍ର କାର୍ଯ୍ୟ କରୁଛି। ଚିକିତ୍ସା ନିମନ୍ତେ ୨୦ଟି ଏଆରଟି କେନ୍ଦ୍ର ରହିଥିବାବେଳେ ୨ଟି ଘରୋଇ ଭେଷଜ ମହାବିଦ୍ୟାଳୟରେ ଏଆରଟି କେନ୍ଦ୍ର ଖୋଲିବ। ୧୧ଟି ରେଳଷ୍ଟେସନ ଏବଂ ବିଭିନ୍ନ ବସ ରହଣିସ୍ଥଳରେ ସଚେତନତା କରାଯାଉଥିବା ବେଳେ ଗଣମାଧ୍ୟମ ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯାଉଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୧୫୦୦ରୁ ଅଧିକ ରେଡ଼୍ ରିବନ କ୍ଲବ କାର୍ଯ୍ୟ କରୁଛି। ସେହିପରି ଏଡ୍ସ ଆକ୍ରାନ୍ତ ଗର୍ଭବତୀଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ୫୦୦ ଟଙ୍କା ଦିଆଯାଉଛି। ସମସ୍ତ ସନ୍ଦେହ ଦୂର ପାଇଁ ୧୦୯୭ ନିଃଶୁଳ୍କ ନମ୍ବର ଜାରି କରାଯାଇଛି।