
ମୁଖ୍ୟ ଷଡ଼ଯନ୍ତ୍ରକାରୀ ସରୋଜ ଓ ସହଯୋଗୀ ଗିରଫ
ଭୁବନେଶ୍ୱର/ପାହାଳ : ବିଶ୍ୱାସରେ ବିଷ ଦେଲା ସାଙ୍ଗ। ଏକାଠି ବସି ହୋଟେଲରେ ଖାଇଲେ, ଗପସପ ହେଲେ, କିନ୍ତୁ ତଳେ ତଳେ ସାଙ୍ଗକୁ ଲୁଟିବା ପାଇଁ ଡକାୟତଙ୍କୁ ଖବର ଦେଲେ। ପାହାଳ ଥାନା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଅଭିଯୋଗକାରୀଙ୍କ ବନ୍ଧୁ ସରୋଜ ସୂତାର ଓ ତାଙ୍କ ସହଯୋଗୀ ବାବୁଲ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାର ବିବରଣୀ ଅନୁଯାୟୀ, ଅଭିଯୋଗକାରୀ ପ୍ରଭାତ କୁମାର ସାହୁ (୨୮) ବ୍ୟବସାୟୀମାନଙ୍କର ଜିଏସ୍ଟି ଏବଂ ଆଇଟି ରିଟର୍ଣ୍ଣ କାମ କରନ୍ତି। ଗତ ୨୪.୧୧.୨୦୨୫ ତାରିଖରେ ସେ କଟକରୁ ୨୦ ଲକ୍ଷ ଟଙ୍କା ସଂଗ୍ରହ କରି ନିଜ କାର୍ରେ ଫେରୁଥିଲେ। ବାଟରେ ସେ ତାଙ୍କ ବନ୍ଧୁ ସୁରେଶ ଏବଂ ସରୋଜ ସୂତାରଙ୍କୁ ଭେଟି ପାହାଳ ନିକଟସ୍ଥ ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। କଥାବାର୍ତ୍ତା ବେଳେ ପ୍ରଭାତ ବିଶ୍ୱାସ କରି ଗାଡ଼ିରେ ୨୦ ଲକ୍ଷ ଟଙ୍କା ଥିବା କଥା ସରୋଜଙ୍କୁ କହିଦେଇଥିଲେ।
ଟଙ୍କା କଥା ଶୁଣିବା ପରେ ସରୋଜଙ୍କ ମନରେ ଲୋଭ ଆସିଥିଲା। ସୂଚନାଯୋଗ୍ୟ ଯେ, ସରୋଜ ପୂର୍ବରୁ ପ୍ରଭାତଙ୍କଠାରୁ ୨ ଲକ୍ଷ ଟଙ୍କା ଋଣ ମାଗି ନିରାଶ ହୋଇଥିଲେ। ତେଣୁ ସେ ତୁରନ୍ତ ତାଙ୍କ ସହଯୋଗୀ ଜଗନ୍ନାଥ ମଲ୍ଲିକଙ୍କୁ ଫୋନ୍ କରି ଟଙ୍କା ଲୁଟିନେବାକୁ ଯୋଜନା କରିଥିଲେ। ଜଗନ୍ନାଥ ଅନ୍ୟ ସହଯୋଗୀ ବାବୁଲ ବେହେରା ଓ ଅନ୍ୟ ଦୁଇଜଣଙ୍କୁ ନେଇ ଖଣ୍ଡା ଓ ମାରଣାସ୍ତ୍ର ସହ ଦୁଇଟି ବାଇକ୍ରେ ପାହାଳ ଅଭିମୁଖେ ବାହାରିଥିଲେ। ସେପଟେ ଡକାୟତ ଦଳ ନ ପହଞ୍ଚିବା ଯାଏଁ ସରୋଜ କୌଶଳ କରି ପ୍ରଭାତଙ୍କୁ ହୋଟେଲରେ ଅଟକାଇ ରଖିଥିଲେ। ଏହାପରେ ଡକାୟତମାନେ ପହଞ୍ଚି ଏକ ଭୟଙ୍କର ପରିବେଶ ସୃଷ୍ଟି କରିବା ସହ ବଳପୂର୍ବକ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ଲୁଟ୍ ପରେ ସରୋଜ ନିଜେ ପ୍ରଭାତଙ୍କ ସହ ଥାନାକୁ ଯାଇ ଏତଲା ଦେଇଥିଲେ। କିନ୍ତୁ ପୁଲିସର ସିସିଟିଭି ଫୁଟେଜ୍ ଯାଞ୍ଚ, ଟଙ୍କାର ଟ୍ରେଲ୍ ଏବଂ ବୈଷୟିକ ତଦନ୍ତରେ ସରୋଜଙ୍କ ମୁଖା ଖୋଲିଯାଇଥିଲା। ପୁଲିସ ଚଢ଼ାଉ କରି ସରୋଜ ଓ ବାବୁଲଙ୍କୁ ଗିରଫ କରିଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏବଂ ଲୁଟ୍ ଟଙ୍କା ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।