
ନୂଆଦିଲ୍ଲୀ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ ଯାତ୍ରା। ଶୁକ୍ରବାର ବିମାନ କମ୍ପାନୀଗୁଡ଼ିକ ଅଚାନକ ଟିକେଟ ଦର ବୃଦ୍ଧି କରିବା ଫଳରେ ଯାତ୍ରୀ ହରଡ଼ଘଣାରେ ପଡ଼ିଛନ୍ତି। ପ୍ରାୟ ୮ରୁ ୧୦ ଗୁଣା ପର୍ଯ୍ୟନ୍ତ ଟିକେଟ ଦର ବୃଦ୍ଧି କରିଛନ୍ତି ବିମାନ କମ୍ପାନୀ। ପୂର୍ବରୁ ଦିଲ୍ଲୀରୁ ମୁମ୍ବଇ ବିମାନ ଯାତ୍ରା ପାଇଁ ଯେଉଁଠି ୬ରୁ ୭ ହଜାର ଟଙ୍କା ଟିକେଟ ମୂଲ୍ୟ ରହିଥିଲା ଏବେ ତାହା ବଢ଼ି ୪୯ ହଜାରରେ ପହଞ୍ଚିଛି।
ଅନ୍ତର୍ଜାତୀୟ ବାୟୁ ପରିବହନ ଆସୋସିଏସନ (ଆଇଏଟିଏ) ତଥ୍ୟ ଅନୁସାରେ, ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, କଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ ସବୁଠୁ ଅଧିକ ବିମାନ ଯାତ୍ରୀ ଚଳାଚଳ କରୁଛନ୍ତି। ଭାରତରେ ଏହି ରୁଟ ସବୁଠୁ ବ୍ୟସ୍ତବହୁଳ ରୁଟ୍। ବର୍ତ୍ତମାନ ଇଣ୍ଡିଗୋ ବିମାନ ଉଡ଼ାଣରେ ସମସ୍ୟା ଯୋଗୁ ଅନ୍ୟ ବିମାନ କମ୍ପାନୀଗୁଡ଼ିକ ଏହି ରୁଟ୍ରେ ଟିକେଟ ଦରକୁ ଅହେତୁକ ବୃଦ୍ଧି କରିଛନ୍ତି।
ଦିଲ୍ଲୀରୁ ମୁମ୍ବଇ ସିଧାସଳଖ ବିମାନ ଯାତ୍ରା ପାଇଁ ଟିକେଟ ଦର ୨୫ ହଜାର ୧୬୧ ଟଙ୍କା ରହିଛି। ଯିବା ଆସିବା ପାଇଁ ଏହା ୪୮ ହଜାର ୯୭୨ ଟଙ୍କା ରଖାଯାଇଛି। ତାହା ପୁଣି ଟିକସ ବ୍ୟତୀତ। ପୂର୍ବରୁ ଏହା ୧୨ରୁ ୧୩ ହଜାର ମଧ୍ୟରେ ରହିଥିଲା। ସେହିପରି ମୁମ୍ବଇରୁ ଦିଲ୍ଲୀ ଯିବାଆସିବା ଟିକେଟ ଦର ୪୬ ହଜାର ୮୦୦ ଟଙ୍କା ରଖାଯାଇଛି।
ଅନ୍ୟପଟେ ଦିଲ୍ଲୀରୁ କଲକତା ଟିକେଟ ଦର ୩୨ ହଜାରରୁ ୩୯ ହଜାର ପର୍ଯ୍ୟନ୍ତ ରଖାଯାଇଛି। ଡିସେମ୍ବର ୬ ତାରିଖ ଯାତ୍ରା ପାଇଁ ଏହି ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି କଲକାତାରୁ ଦିଲ୍ଲୀ ୨୨ ହଜାରରୁ ୩୮ ହଜାର ପର୍ଯ୍ୟନ୍ତ ରହିଛି।
ଦିଲ୍ଲୀରୁ ବେଙ୍ଗାଲୁରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ପାଇ ୮୦ ହଜାରରୁ ୮୮ ହଜାର ଟଙ୍କା ମଧ୍ୟରେ ରହିଛି। ଅନ୍ୟ ସାଧାରଣ ଦିବସରେ ଏହା ୧୪ ହଜାର ଟଙ୍କା ରହିଥିଲା। ଯେଉଁଠି ଭାରତରୁ ଦୁବାଇକୁ ବିମାନ ଯାତ୍ରା ୧୫ ହଜାର ଟଙ୍କା ଭିତରେ ହୋଇଯାଉଛି ସେଠାରେ ଦେଶ ଭିତରେ ଟିକେଟ ଦର ଏଭଳି ବୃଦ୍ଧି ପାଇବାକୁ ନେଇ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।