
ଭୁବନେଶ୍ବର : ଭୁବନେଶ୍ବରର ଧଉଳିରେ ଗତକାଲି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିଲା| ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ଅଭିଯୋଗ । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଧଉଳି ଥାନା ପୋଲିସ ଘଟଣାର ତନାଘନା ତଦନ୍ତ କରୁଛି । ତିନି ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଅଭିଯୋଗ ହୋଇଛି ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ବୁଲିବାକୁ ଯାଇଥିଲେ । ଦୁର୍ବୁତ୍ତମାନେ ଉଭୟଙ୍କୁ ଏକାକୀ ସୁଯୋଗ ଦେଖି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ନାବାଳିକା ବେହୋସ୍ ହେବା ପରେ ଅଭିଯୁକ୍ତମାନେ ଛାଡ଼ି ପଳାଇଥିଲେ। ଏହି ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଭୁବନେଶ୍ବର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିବା ପରି ବିଷୟ । ବର୍ବରତା ଓ ଅରାଜକତା ସୀମା ଟପୁଛି ।
ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି। ଅପରାଧୀ ଭୟଶୂନ୍ୟ ହେବା ସହ ସରକାର ବିଶ୍ୱସନୀୟତା ହରାଉଛନ୍ତି ବୋଲି ନବୀନ ଲେଖିଛନ୍ତି । ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି ।
ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ । ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ନବୀନ ଲେଖିଛନ୍ତି ।