
ନୂଆଦିଲ୍ଲୀ : ଦିଲ୍ଲୀ ଓ ଉତ୍ତର ଭାରତର ଅନେକ ସ୍ଥାନରେ ଘନ କୁହୁଡ଼ି ଓ ଦୃଶ୍ୟମାନତା ହ୍ରାସ ହେତୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛି । ପରାମର୍ଶରେ ବିମାନ ବିଳମ୍ବ ଏବଂ ବାତିଲ ହେବାକୁ ଥିବା ଆଶଙ୍କା ରହିଛି । ଦିଲ୍ଲୀ ବିମାନବନ୍ଦରରେ ବିଭିନ୍ନ ଏୟାରଲାଇନ୍ସର ୨୭ଟି ବିମାନ ବାତିଲ ହୋଇଛି ଏବଂ ଆହୁରି ଅନେକ ବିମାନ ବିଳମ୍ବ ହୋଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଅନୁଯାୟୀ, ପ୍ରତିକୂଳ ପାଗ ଯୋଗୁଁ ମୋଟ ୧୬ଟି ପ୍ରସ୍ଥାନ ଓ ୧୧ଟି ଆସିବାକୁ ଥିବା ବିମାନ ବାତିଲ କରାଯାଇଛି ।
ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ୍ସରେ ପୋଷ୍ଟ କରିଛି କି, ଯାତ୍ରୀଙ୍କୁ ନିବେଦନ କି ନିଜର ଏୟାରଲାଇନ୍ ସହିତ ସଂପର୍କ ରଖନ୍ତୁ, ଅପଡେଟ୍ ପାଇଁ ଅଫିସିଆଲ ପ୍ଲାଟଫର୍ମକୁ ଯାଇ ଚେକ୍ କରନ୍ତୁ । ଯାତ୍ରା ପାଇଁ ଅତିରିକ୍ତ ସମୟ ରଖନ୍ତୁ । ଯାତ୍ରୀଙ୍କୁ ସହାୟତା ପାଇଁ ଏୟାରପୋର୍ଟ ପାସେଞ୍ଜର ଫ୍ୟାସିଲେଟେସନ ଟିମ୍ ଉପସ୍ଥିତ ରହିଛି । ଏନେଇ ସମସ୍ତ ବିମାନ କମ୍ପାନୀ ନିଜ ନିଜର ଆଡଭାଇଜରି ଜାରି କରିଛନ୍ତି ।
ଜାରି ହୋଇଥିବା ପରାମର୍ଶବଳୀରେ ଡିଆଇଏଏଲ୍ କହିଛି ଯେ, ବିମାନବନ୍ଦରରେ ବିମାନ ଚଳାଚଳ କ୍ୟାଟ୍-୩ ଅବସ୍ଥାରେ କରାଯାଉଛି, ଯାହା ଅତ୍ୟନ୍ତ ଖରାପ ଦୃଶ୍ୟମାନତା ସମୟରେ ବ୍ୟବହୃତ ଏକ ପ୍ରୋଟୋକଲ୍ । ଡିଆଇଏଏଲ୍ କହିଛି ଯେ, ଘନ ଧୂଆଁକୁହୁଡ଼ି ହେତୁ ବିମାନ ଚଳାଚଳ ବର୍ତ୍ତମାନ କ୍ୟାଟ୍-୩ ଅବସ୍ଥାରେ ଅଛି, ଯାହା ବିଳମ୍ବ କିମ୍ବା ବ୍ୟାଘାତର କାରଣ ହୋଇପାରେ । ରନୱେ ଭିଜୁଆଲ୍ ରେଞ୍ଜ (ଆରଭିଆର୍) ୫୦ରୁ ୨୦୦ ମିଟର କମ୍ ହେଲେ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇଥାଏ ।
ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଏବଂ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଘନରୁ ଅତି ଘନ ଧୂଆଁକୁହୁଡି ରହିବାର ସମ୍ଭାବନା ରହିଛି । ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଓଡ଼ିଶାରେ ମଧ୍ୟ ଧୂଆଁକୁହୁଡ଼ି ରହିବ ।