ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ 

youtube

କଟକ ୨୪।୧୨: ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ । ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ଖେଳାଳି ମାନଙ୍କୁ ମୁଣ୍ଡ ମାଲିସ ଓ ଘସା ମୋଡାରେ ଲଗାଇବା ସହ କୋଚ୍‌ ମାଡ଼ ମାରିଥିଲେ ଫିଟର । କାହିଁକି ଫିଟର ଟିମ୍ ସହ ଉତ୍ତରାଖଣ୍ଡ ଯାଇଥିଲେ ଓ ଯିବା ପାଇଁ କିଏ ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡର ରୁଦ୍ରପୁରରେ ଚାଲିଥିବା ଜାତୀୟ ସ୍ତରର ସିନିୟର୍, ଜୁନିୟର ଓ ସବ୍ ଜୁନିୟର ଟ୍ରାକ୍ ସାଇକେଲିଂ କମ୍ପିଟିସନରେ ଭାଗ ନେଇଥିଲେ ଓଡ଼ିଶା ଦଳ । ତେବେ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଓଡ଼ିଶା ଟ୍ରାକ୍ ସାଇକେଲ ଗ୍ରୁପ୍ରେ ଯାଇଥିବା ଫିଟର୍ ଦିଲ୍ଲୀପ କୁମାର ନାଟିଆ ପ୍ରତିଯୋଗୀ ମାନଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଇଥିବା ସହ ମାଲିସ କରାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଏହି ଘଟଣାରେ ପ୍ରତିବାଦ କରିବାରୁ ଓଡ଼ିଶା ଦଳର କୋଚ୍ ସମ୍ବିତ ମହାନ୍ତିଙ୍କୁ ମୁଥ ମାରିବା ସହ ଆକ୍ରମଣ ମଧ୍ୟ କରିଥିଲେ ଫିଟର ଦିଲ୍ଲୀପ ନାଟିଆ ।

ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଓଡ଼ିଆ ଅଲମ୍ପିକ୍ସ ଆସୋସିଏସନ୍ ଓ ଓସିଏର ବଡ଼ କର୍ମକର୍ତ୍ତା ଓ ଅଲମ୍ପିକ୍ସ ଆସୋସିଏସନର ବଡ଼ ବାବୁ ମାନଙ୍କର ହାତ ଦିଲ୍ଲୀପଙ୍କ ମୁଣ୍ଡ ଉପରେ ଥିବା ନେଇ ଅଭିଯୋଗ ହୋଇଛି । ତେବେ ଦିଲ୍ଲୀପ ନାଟିଆ ଫିଟର ହୋଇ କେମିତି ଓଡ଼ିଶା ଦଳ ସହ ଉତ୍ତରାଖଣ୍ଡ ଯାଇଥିଲେ ଓ ତାଙ୍କୁ ଯିବା ପାଇଁ କିଏ ଅନୁମତି ଦେଇଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏମିତିକି ପିଲା ମାନଙ୍କ ସହ ବ୍ୟବହାର ଓ କରିବାକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କ୍ରୀଡା ସାମ୍ୱାଦିକ ସୁଶାନ୍ତ କୁମାର ବେହେରା ।

ଅନ୍ୟପଟେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର ସମ୍ପାଦକ ଅଭିଜିତ ପାଲ୍ । ସେ କହିଛନ୍ତି କି ଏହି ଘଟଣାରେ ଅଲମ୍ପିକ୍ସ ଆସୋସିଏସନର କୌଣସି ସଂପୃକ୍ତି ନାହିଁ । ଏ ଘଟଣା ସହ ମୋର କୌଣସି ବ୍ୟକ୍ତିଗତ କୌଣସି ସଂଯୋଗ ନାହିଁ । ଯିଏ ବି ଏ ଘଟଣାର ଦୋଷୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଭିଜିତ ପାଲ୍ ।

Leave A Reply

Your email address will not be published.