
ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସର ଜୋରଦାର ବିକ୍ଷୋଭ । ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଆନ୍ଦୋଳନରେ ସାମିଲ ହୋଇ ୪ଦଫା ଦାବିରେ ଟାଟା ପାୱର ଅଫିସକୁ ଘେରାଉ କରିଛନ୍ତି । ଚାଷୀଙ୍କୁ ସଂପୂର୍ଣ୍ଣ ମାଗଣା ବିଜୁଳୀ, ସାଧାରଣ ଜନତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳୀ, ସ୍ମାର୍ଟ ମିଟର ଉଚ୍ଛେଦ, ଅତିରିକ୍ତ ସିକ୍ୟୁରିଟି ଜମା ବନ୍ଦ କରିବାକୁ ଦାବି କରିଛି କଂଗ୍ରେସ ।
ଏନେଇ ଆଜି ଟାଟା ପାୱାର ଅଫିସ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଉଛି । ମାସେ ଭିତରେ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ଆନ୍ଦୋଳନରେ ସଭାପତିଙ୍କ ସମେତ ପୂର୍ବତନ କେନ୍ଦ୍ରୀମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ସୁର ରାଉତ, ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଛାତ୍ର ଯୁବ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । କଂଗ୍ରେସ ନେତାମାନେ ଟାଟା ପାୱର ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାକୁ ଯିବା ବେଳେ ମୁଖ୍ୟ ଫାଟକରେ ତାଲା ପଡିଥିଲା ।