
ତେହରାନ: ଆମେରିକୀୟ ଡଲାର ତୁଳନାରେ ମୁଦ୍ରାର ମୂଲ୍ୟ ହ୍ରାସ ଓ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ଇରାନରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ରାଜଧାନୀ ତେହରାନରେ ଦୋକାନ ବଜାର ବନ୍ଦ କରିଦିଆଯାଇଛି। ପ୍ରମୁଖ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଇରାନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ମହମ୍ମଦ ରେଜା ଫରଜିନଙ୍କ ଇସ୍ତଫା ଦାବି କରିଛନ୍ତି। ଏପରି କି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସରକାରର ବରଖାସ୍ତ ଦାବି କରିଛନ୍ତି। ବିକ୍ଷୋଭକାରୀମାନେ ‘ମୁଲ୍ଲା ଦେଶ ଛାଡି ଚାଲିଯାଅ’, ‘ଏକଛାତ୍ରବାଦୀଙ୍କୁ ମୃତ୍ୟୁଦଣ୍ଡ ଦିଅ’ ଭଳି ନାରା ଦେଇଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡାଇବା ଲାଗି ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।
୨୦୨୨ ପରେ ଇରାନରେ ଏହା ସବୁଠାରୁ ବଡଧରଣର ବିକ୍ଷୋଭ। ୨୦୨୨ରେ ୨୨ବର୍ଷୀୟ ଯୁବକ ଜିନା ଅମିନିଙ୍କ ପୁଲିସ ହାଜତରେ ମୃତ୍ୟୁକୁ ନେଇ ବଡଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ରିପୋର୍ଟ ଅନୁଯାୟୀ ଦେଶର ବ୍ୟବସାୟୀମାନେ ହିଁ ବିକ୍ଷୋଭରେ ପ୍ରମୁଖ ଭୂମିକା ନେଇଛନ୍ତି। ଦେଶବାସୀଙ୍କ ଏପରି ବିକ୍ଷୋଭକୁ ନେଇ ରାଷ୍ଟ୍ରପତି ମାସୁଦ ପେଜସ୍କିଆନ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ଭେଟି ବିକ୍ଷୋଭକାରୀଙ୍କ ସହ ଆଲୋଚନା ପୂର୍ବକ ଦାବି ପୂରଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସମୟରେ ଏକ ଆମେରିକୀୟ ଡଲାରର ମୂଲ୍ୟ ଇରାନ ମୁଦ୍ରା ରିଆଲରେ ୪୨,୧୨୫। ଅର୍ଥାତ୍ ଏକ ଡଲାର ଇରାନର ୪୨,୧୨୫ ରିଆଲ। ୨୦୧୫ରେ ଗୋଟିଏ ଡଲାରର ମୂଲ୍ୟ ୩୨,୦୦୦ ରିଆଲ ଥିଲା।
ସେହିପରି ଦେଶର ମୁଦ୍ରାସ୍ଫୀତି ଏବେ ୪୨% ରହିଛି। ସୂଚନାଯୋଗ୍ୟ ଭାରତର ଗୋଟିଏ ଟଙ୍କାର ମୂଲ୍ୟ ଇରାନର ୪୬୮ ରିଆଲ ସହିତ ସମାନ। ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ଏହା ଉପରେ ଅନେକ କଟକଣା ଲାଗୁ କରିଛି। ଫଳରେ ଇରାନ ଆନ୍ତର୍ଜାତିକ ବଜାରରେ ବ୍ୟବସାୟ ବାଣିଜ୍ୟ କରିବାରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛି। ଚଳିତବର୍ଷ ଇରାନର ପରମାଣୁ କେନ୍ଦ୍ର ଉପରେ ଉଭୟ ଆମେରିକା ଓ ଇସ୍ରାଏଲ୍ ବୋମାମାଡ କରିଥିଲେ।