
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ସୁପ୍ରିମକୋର୍ଟ ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଘଟଣାରେ ଜଡିତ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ।
ଜଷ୍ଟିସ ଅରବିନ୍ଦ କୁମାର ଏବଂ ଜଷ୍ଟିସ ଏନବି ଅଞ୍ଜାରିଆ ମାମଲାକୁ ଶୁଣାଣି କରୁଥିଲେ । ଉଭୟ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠିତ ହୋଇଥିଲା । ଖଣ୍ଡପୀଠ କହିଛନ୍ତି ଯେ, ଉମର ଖାଲିଦଙ୍କୁ ବେଲ୍ ମିଳିବ ନାହିଁ ।
ଏହାସହ ଅନ୍ୟତମ ଅଭିଯୁକ୍ତ ଶରଜିଲ ଇମାମ୍ ମଧ୍ୟ ଜେଲରେ ରହିବେ । ତେବେ ଅନ୍ୟ ୫ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଗୁଲଫିସା ଫାତିମା, ମିରାନ୍ ହାଇଦର, ସିଫା ଉର୍ ରେହମାନ, ମହମ୍ମଦ ସଲିମ ଖାନ୍ ଏବଂ ଶଦାବ୍ ଅହମ୍ମଦ ।
ପୂର୍ବରୁ ଡିସେମ୍ବର ୧୦ରେ କୋର୍ଟ ମାମାଲର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟକୁ ଚ୍ୟାଲେଂଜ୍ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ଦିଲ୍ଲୀ ହାଇକୋର୍ଟ ମଧ୍ୟ ସେପ୍ଟେମ୍ବର ୨ ତାରିଖରେ ବେଲ୍ ଆବେଦନକୁ ଖାରଜ କରିଦେଇଥିଲେ ।
ସୂଚନାଯୋଗ୍ୟ, ୨୩ ଫେବୃଆରୀ ୨୦୨୦ ରାତିରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା । ଏହି ଘଟଣାରେ ୫୩ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଶରଜିଲ ଇମାମ ଏବଂ ଉମର ଖାଲିଦ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଥିଲେ । ଖାଲିଦ ଏବଂ ଶରଜିଲ ବିରୋଧରେ ଅନେକ ପ୍ରମାଣ ରହିଛି । ସେମାନେ ଷଡଯନ୍ତ୍ରରେ ସାମିଲ ଥିଲେ । ଦଙ୍ଗାରେ ସେମାନଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ରହିଛି ।