ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଇଡି-ମମତା ମୁହାଁମୁହିଁ

newyr25

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଇଡି ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ପଶ୍ଚିମବଙ୍ଗ ଶାସକ ଦଳ ଟିଏମସିର ରାଜନୈତିକ ପରାମର୍ଶଦାତା ଏବଂ ଆଇଟି ସେଲ୍ ଦାୟିତ୍ୱରେ ଥିବା (ଭାରତୀୟ ରାଜନୈତିକ କାର୍ଯ୍ୟ କମିଟି) ଆଇ-ପିଏସି କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ଚଢ଼ାଉ କରିଥିଲା । ଏହି ସମୟରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇ-ପିଏସିର ମୁଖ୍ୟ ପ୍ରତୀକ ଜୈନଙ୍କ ଘରକୁ ଦୌଡ଼ି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାସହ ଘରର ପଛପଟ ଦ୍ୱାରରୁ ଏକ ସବୁଜ ରଙ୍ଗର ଦସ୍ତାବିଜ ଧରି ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ଗଣମାଧ୍ୟମର ଉତ୍ତର ରଖି ମମତା କହିଥିଲେ ଯେ ଅଧିକାରୀମାନେ ତାଙ୍କ ଦଳ ତୃଣମୂଳ କଂଗ୍ରେସର ହାର୍ଡ ଡିସ୍କ ସହିତ ଆଭ୍ୟନ୍ତରୀଣ ଦସ୍ତାବିଜ ଏବଂ ସମ୍ବେଦନଶୀଳ ତଥ୍ୟ ଜବତ କରିବାକୁ ଚେଷ୍ଟା କରିଥିଲେ ।
ଜୈନଙ୍କ ବାସଭବନ ଏବଂ କାର୍ଯ୍ୟାଳୟକୁ ମମତାଙ୍କ ଗସ୍ତର ଭିଡିଓରେ ସ୍ପଷ୍ଟ ଭାବରେ ଜଣାପଡୁଥିଲା ଯେ, ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚକମା ଦେଇ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ଏବଂ ଫେରିବା ସମୟରେ ତାଙ୍କ ହାତରେ କିଛି ଦସ୍ତାବିଜ ଓ ଲାପଟପ ରହିଥିଲା । ଯାହାକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ ଜୈନଙ୍କ ବାସଭବନରେ ଚଢାଉ, ରାଜନୈତିକ ଭାବରେ ପ୍ରେରିତ ଏବଂ ଅସାମ୍ବିଧାନିକ । ସେମାନେ ଆମ ଆଇଟି ମୁଖ୍ୟଙ୍କ ବାସଭବନରେ ଚଢାଉ କରିଛନ୍ତି । ସେମାନେ ମୋ ଦଳର ଦସ୍ତାବିଜ ଏବଂ ହାର୍ଡ ଡିସ୍କ ଜବତ କରୁଥିଲେ । ଯେଉଁଥିରେ ବିଧାନସଭା ନିର୍ବାଚନ ପାଇଁ ଆମର ପ୍ରାର୍ଥୀଙ୍କ ବିଷୟରେ ବିବରଣୀ ଅଛି । ମୁଁ ସେଗୁଡ଼ିକୁ ଆଣିଛି ବୋଲି ମମତା କହିଛନ୍ତି । ଏହାସହ ବିଜେପିକୁ ନିଶାଣ କରି କହିଛନ୍ତି, ମୋର ସମସ୍ତ ଦଳୀୟ ଦସ୍ତାବିଜ ହଟାଇ ନେବା କ’ଣ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଇଡିର କର୍ତ୍ତବ୍ୟ ? ଯଦି ମୁଁ ବିଜେପି ଦଳୀୟ କାର୍ଯ୍ୟାଳୟକୁ ଯାଏ, ତେବେ ଫଳାଫଳ କ’ଣ ହେବ ? ଏସଏଇଆର ରେ ୫ଲକ୍ଷ ଭୋଟରଙ୍କ ବାଦ ଦିଆଯାଇଛି ବୋଲି ମମତା ବାନାର୍ଜୀ କହିଛନ୍ତି ।
ପରେ ଇଡି ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଅବୈଧ କୋଇଲା ଚୋରା ଚାଲାଣର ତଦନ୍ତର ଏକ ଅଂଶ । ଏହି ଚଢାଉ ପ୍ରମାଣ ଆଧାରରେ କରାଯାଉଛି । କୌଣସି ରାଜନୈତିକ ପ୍ରତିଷ୍ଠାନକୁ ନିଶାଣ କରାଯାଇ ନାହିଁ । ପଶ୍ଚିମବଙ୍ଗର ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ସୂଚନା ରହିଛି ।

Leave A Reply

Your email address will not be published.