
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖରେ ଜିଲ୍ଲା ସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଛି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଧାନ କିଣା ଆରମ୍ଭ ହୋଇପାରିନାହିଁ ।ଏଯାଏଁ କେଉଁ ପାକ୍ସ ରେ କେଉଁ ମିଲର ଧାନ କିଣିବେ ତାହା ସ୍ପଷ୍ଟ ହୋଇପାରିନାହିଁ।ମିଲର ସଂଯୋଗୀ କରଣ ଶେଷ ହୋଇନଥିବା ବେଳେ ଅନେକ ଚାଷୀଙ୍କୁ ଟୋକନ ଏପର୍ଯ୍ୟନ୍ତ ମିଳିନାହିଁ ।ନୟାଗଡ଼ ଜିଲ୍ଲାରେ ୫୭ ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ ସେଥିରୁ ମାତ୍ର ୩୦ ପ୍ରତିଶତ ଚାଷୀଙ୍କ ଟୋକନ ଆସିଥିବା ବେଳେ ଅବଶିଷ୍ଟ ଚାଷୀ ଟୋକନ ଅପେକ୍ଷାରେ ଅଛନ୍ତି।ଏହି ପରିସ୍ଥିତିରେ ନୟାଗଡ଼ ଜିଲ୍ଲାରେ କିପରି ଧାନ କିଣା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସେନେଇ ପ୍ରଶ୍ନ ଉଠିଛି।ମାତ୍ର ଧାନ କିଣିବାକୁ ନେଇ ମିଲର ମାନଙ୍କ ସହିତ ଚୁକ୍ତି ସରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ସୂଚନା ଦେଇଛନ୍ତି।
ନୟାଗଡ଼ ଜିଲ୍ଲାର ପ୍ରମୁଖ ଫସଲ ଧାନ । ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଜମିରେ ଧାନ ଚାଷ ହେଉଛି ।ମାତ୍ର ଚାଷୀ ଧାନ ବିକ୍ରି ନକରିପାରି ହତାଶ ରେ ସମୟ ଅତିବାହିତ କରୁଛନ୍ତି । ମଣ୍ଡି ଆରମ୍ଭ ହୋଇନାହିଁ କି ଅନେକ ଚାଷୀଙ୍କୁ ଟୋକନ ମିଳିନାହିଁ ।କେତେକ ଚାଷୀ ଯୋଗାଣ ବିଭାଗ ତଥା ସମବାୟ ବିଭାଗକୁ ଦୌଡ଼ୁଥିବା ବେଳେ ସେମାନଙ୍କୁ କୌଣସି ସନ୍ତୋଷ ଜଣକ ଉତ୍ତର ମିଳୁନାହିଁ ।ତେଣୁ ଜିଲ୍ଲାରେ କେବେ ଓ କିପରି ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚଳିତ ବର୍ଷ ଧାନ ଅମଳ ଭଲ ହୋଇଥିବା ବେଳେ ଯୋଗାଣ ବିଭାଗ ଓ ମିଲରଙ୍କ ଭିତିରି ବୁଝାମଣା ପାଇଁ ଧାନ କିଣା ବିଳମ୍ବିତ ହେଉଥିବାର ଅଭିଯୋଗ ଆସିଛି ।ଚାଷୀ ମାନଙ୍କୁ ଶୋଷଣ ଉଦ୍ଦେଶ୍ୟରେ ମିଲର ମାନେ ପ୍ରଶାସନ ଓ ବିଭିନ୍ନ ରାଜନେତା ମାନଙ୍କୁ ହାତ ମୁଠାରେ ରଖି ଗୋଟି ଚାଳନା କରାଯାଉଛି ।ଗତ ବର୍ଷ ଓଦା ଧାନ କହି କ୍ଵିଣ୍ଟାଲ ପିଛା ୭ରୁ ୧୦ କେଜି କଟଣୀ ଛଟଣି ହୋଇଥିବା ବେଳେ ଚଳିତ ବର୍ଷ ସମାନ ଢାଞ୍ଚା ଆପଣାଇବା ପାଇଁ ଯୋଜନା କରାଯାଇଛି।ଧାନ କିଣା ବିଳମ୍ବ ହେଲେ କଟଣୀ ଛଟଣି କରିବାକୁ ସୁବିଧା ହେବ ବୋଲି ଜଣାପଡିଛି ।ଜିଲ୍ଲାରେ ୪ ବିଧାୟକ ଓ ୩ ସାଂସଦ ଥିବା ବେଳେ ଧାନ କିଣା ପ୍ରକ୍ରିୟା ସ୍ଵାଭାବିକ କରିବାକୁ କାହାରି ଆନ୍ତରିକତା ନଥିବା ମନେହେଉଛି ।ବିଜେପି ନେତା ମାନେ କଟଣୀ ଛଟଣି ହେବ ନାହିଁ ବୋଲି କହି ବୁଲୁଥିବା ବେଳେ ବାସ୍ତବତା ମାତ୍ର ଭିନ୍ନ। ଜିଲ୍ଲାରେ ଖୁବ୍ ଶୀଘ୍ର ଧାନ କିଣା ସ୍ଵାଭାବିକ ନହେଲେ ଚାଷୀ ଆନ୍ଦୋଳନ ଜୋରଦାର ହେବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।ଜାନୁଆରୀ ୧୨ ତାରିଖ ରେ କଂଗ୍ରେସ ତରଫରୁ ପୁରୁଣା ଜେଲ ଠାରେ ଚାଷୀ ସମାବେଶ ଆୟୋଜନ କରାଯାଉଛି।ଏହି ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେବେ ବୋଲି ଜଣାପଡିଛି । ଚାଷୀ ସମାବେଶ କୁ ସଫଳ କରିବା ଏବଂ ପ୍ରଶାସନ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ କଂଗ୍ରେସ ଗାଁ ଗାଁରେ ପ୍ରଚାର ଆରମ୍ଭ କରିଛି।ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାସ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ଚାଷୀ ସମାବେଶରେ ଯୋଗଦେବାକୁ ଚାଷୀଙ୍କୁ ଆହ୍ବାନ କରିଛନ୍ତି ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଯୋଗାଣ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୪ଶହ ମିଟର ଦୂରରେ ହେବାକୁ ଥିବା ଚାଷୀ ସମାବେଶ ବେଶ୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି ।ଏହି ଧାନ କିଣା ପ୍ରସଙ୍ଗକୁ କଂଗ୍ରେସ ରାଜନୈତିକ ଅସ୍ତ୍ର କରିବ ବୋଲି ଆଲୋଚନା ହେଉଛି ।