“ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀ ପାଳନ ପାଇଁ ଉମରକୋଟରେ ପ୍ରଶିକ୍ଷଣ ଓ ଗଣଗାନ କାର୍ଯ୍ୟକ୍ରମ

newyr25


ଉମରକୋଟ : ନବରଙ୍ଗପୁର ଜିଲାର ଉମରକୋଟ ପୌରପରିଷଦ ପରିସରରେ ଆମ ଦେଶର ଗର୍ବ ଓ ଐତିହ୍ୟବାହୀ ଜାତୀୟ ଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀ ପାଳନ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ (ତାଲିମ) ଏବଂ ଗଣଗାନ କାର୍ଯ୍ୟକାରୀତା ସମ୍ପର୍କିତ ବୈଠକ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉମରକୋଟ ପୌରପରିଷଦ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ମୁଖ୍ୟ ଅଧିକାରୀ, ଶିକ୍ଷାନୁଷ୍ଠାନର ପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସାମାଜିକ କର୍ମୀମାନେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ପ୍ରଶିକ୍ଷକ ଭାବେ ଗତିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁରାମ ପାତ୍ର ଉପସ୍ଥିତ ଥିଲେ। ସେ “ବନ୍ଦେ ମାତରମ” ଜାତୀୟ ଗୀତର ଐତିହାସିକ ପୃଷ୍ଠଭୂମି, ଦେଶଭକ୍ତିରେ ଏହାର ଅବଦାନ ଏବଂ ଗଣଗୀତ ରୂପେ ଏହାକୁ କିପରି ସଫଳତାର ସହ ଆୟୋଜନ କରାଯିବ—ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଓ ନିର୍ଦ୍ଦେଶାବଳୀକୁ ସେ ଉପସ୍ଥିତ ସମସ୍ତଙ୍କ ସମ୍ମୁଖରେ ସ୍ପଷ୍ଟ କରିଥିଲେ ଏବଂ ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ଏହି ଅବସରରେ ଉମରକୋଟ ଏସ.ଟି. ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଆମ୍ରେଶ ମହାନ୍ତି “ବନ୍ଦେ ମାତରମ” ଗୀତର ସମସ୍ତ ପଦ୍ୟଖଣ୍ଡର ଅର୍ଥ, ଭାବବ୍ୟଞ୍ଜନା ଓ ଦେଶପ୍ରେମମୟ ସନ୍ଦେଶକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରି ଉପସ୍ଥିତ ସମସ୍ତଙ୍କୁ ଉଦ୍ବୁଦ୍ଧ କରିଥିଲେ।
ସର୍ବଶେଷରେ ସମସ୍ତ ଅଂଶଗ୍ରହୀ ଏକାସାଥିରେ ଜାତୀୟ ଗୀତ “ବନ୍ଦେ ମାତରମ” ଗାନ କରି ଦେଶଭକ୍ତିର ଆବେଗରେ ଏକାତ୍ମ ହୋଇଥିଲେ। ଏହା ସହିତ ନିଜ ନିଜ ଅନୁଷ୍ଠାନରେ ଏହି ଗଣଗୀତ କାର୍ଯ୍ୟକ୍ରମ କିପରି ସଫଳତାର ସହ ଆୟୋଜନ କରାଯିବ, ସେ ସମ୍ପର୍କରେ ବାବୁରାମ ପାତ୍ରଙ୍କ ସହ ଆଲୋଚନା କରି ପ୍ରସ୍ତୁତି ନେଇଥିଲେ।
ଏହି ପ୍ରଶିକ୍ଷଣ ଓ ବୈଠକ ମାଧ୍ୟମରେ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀକୁ ସାର୍ଥକ ଓ ସାର୍ବଜନୀନ ଭାବେ ପାଳନ କରିବା ପାଇଁ ଉମରକୋଟରେ ଏକ ଦୃଢ଼ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଛି।
(ଉମରକୋଟରୁ – ରସିକ ସରକାରଙ୍କ ରିପୋର୍ଟ, ନିସର୍ତ ନ୍ୟୁଜ)

Leave A Reply

Your email address will not be published.