କର୍ମକ୍ଷେତ୍ରରେ ହୃଦଘାତ ଜନିତ ମୃତ୍ୟୁ ଏକ ‘ଦୁର୍ଘଟଣା’ : ଗଞ୍ଜାମ ଖାଉଟି ଆୟୋଗଙ୍କ ଐତିହାସିକ ରାୟ, ବିଧବା ପତ୍ନୀ ପାଇବେ ୧୦ ଲକ୍ଷର ବୀମା ରାଶି

newyr25

ବ୍ରହ୍ମପୁର : କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଯଦି ଜଣେ ଶ୍ରମିକଙ୍କର ହୃଦଘାତରେ ମୃତ୍ୟୁ ଘଟେ, ତେବେ ତାହାକୁ ଏକ ‘ଦୁର୍ଘଟଣାଜନିତ ମୃତ୍ୟୁ’ ଭାବେ ଗଣନା କରାଯିବ। ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏଭଳି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ, ଆୟୋଗ ବୀମା କମ୍ପାନୀର ସେବାରେ ଅବହେଳାକୁ ସ୍ପଷ୍ଟ କରିବା ସହ ମୃତ ଶ୍ରମିକଙ୍କ ବିଧବା ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ସୁଧ ଓ କ୍ଷତିପୂରଣ ପ୍ରଦାନ କରିବାକୁ ଇଫକୋ ଟୋକିଓ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବି.ନୂଆଗାମର ସନ୍ତୋଷ ଗୋଛାୟତ ଓମାନରେ ଏକ ନିର୍ମାଣ ସଂସ୍ଥାରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ‘ପ୍ରବାସୀ ଭାରତୀୟ ବୀମା ଯୋଜନା’ ଅଧୀନରେ ବୀମାଭୁକ୍ତ ଥିଲେ। ୨୦୧୭ ମସିହା ଜାନୁଆରୀ ୪ ତାରିଖରେ ଓମାନରେ କାମ କରୁଥିବା ସମୟରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପତ୍ନୀ କୁମାରୀ ଗୋଛାୟତ ବୀମା ରାଶି ପାଇଁ ଆବେଦନ କରିଥିଲେ ମଧ୍ୟ କମ୍ପାନୀ ଏହାକୁ ଏକ ‘ପ୍ରାକୃତିକ ମୃତ୍ୟୁ’ ଦର୍ଶାଇ ଦାବି ପ୍ରତ୍ୟାଖ୍ୟାନ କରିଥିଲା।

ଏହା ବିରୁଦ୍ଧରେ କୁମାରୀ ୨୦୧୮ ମସିହାରେ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପୁଙ୍ଖାନୁପୁଙ୍ଖ ଶୁଣାଣି କରି ଆୟୋଗ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ, ଜଣେ ଶ୍ରମିକ ବିଦେଶର ପ୍ରତିକୂଳ ପରିବେଶ ଓ ପ୍ରଚଣ୍ଡ ଗ୍ରୀଷ୍ମରେ କଠିନ ପରିଶ୍ରମ କରୁଥିବା ବେଳେ ଯଦି ହୃଦଘାତର ଶିକାର ହୁଅନ୍ତି, ତେବେ ତାହାକୁ କେବଳ ପ୍ରାକୃତିକ ମୃତ୍ୟୁ କୁହାଯାଇପାରିବ ନାହିଁ। ଶାରୀରିକ ଚାପ ଓ କାର୍ଯ୍ୟ ପରିସ୍ଥିତି ହିଁ ଏହି ମୃତ୍ୟୁର ମୁଖ୍ୟ କାରଣ ହୋଇଥିବାରୁ ଏହାକୁ ‘ଦୁର୍ଘଟଣା’ ଶ୍ରେଣୀଭୁକ୍ତ କରାଯାଇଛି। ସୁପ୍ରିମକୋର୍ଟଙ୍କ ବିଭିନ୍ନ ପୂର୍ବ ନିଷ୍ପତ୍ତିକୁ ଆଧାର କରି ଆୟୋଗ ୫ ଜାନୁଆରୀ ୨୦୨୬ରେ ଏହି ରାୟ ପ୍ରଦାନ କରିଛନ୍ତି। ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୀମା କମ୍ପାନୀ ଅଭିଯୋଗକାରୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ସହ ଅଭିଯୋଗ ଦାଖଲ ତାରିଖ (୨୫.୦୭.୨୦୧୮) ରୁ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଏବଂ ମୋକଦ୍ଦମା ଖର୍ଚ୍ଚ ବାବଦକୁ ଅତିରିକ୍ତ ୫ ହଜାର ଟଙ୍କା ପ୍ରଦାନ କରିବେ। ଆସନ୍ତା ୪୫ ଦିନ ମଧ୍ୟରେ ଏହି ଅର୍ଥ ପ୍ରଦାନ ନକଲେ ବୀମା କମ୍ପାନୀକୁ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ ପଡ଼ିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତି ବିଦେଶରେ କାମ କରୁଥିବା ହଜାର ହଜାର ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ନ୍ୟାୟର ଏକ ନୂଆ ବାଟ ଫିଟାଇଛି।

Leave A Reply

Your email address will not be published.