
କୋରାପୁଟ: ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାର ୬୭ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥିରେ ସେବକ, ସେବିକା ତଥା ଜନଜାତି ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ରହିଛନ୍ତି। ଏଥିସହିତ ରାଜ୍ୟସ୍ତରରେ ମଧ୍ୟ ବିଭିନ୍ନ ବିଭାଗ ଅଧୀନରେ ୫୫ ଜଣଙ୍କୁ ନିଯୁକ୍ତି ମିଳିଛି।
କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହରେ ଆୟୋଜିତ ଏହି ନିଯୁକ୍ତିପତ୍ର ବଣ୍ଟନ ଉତ୍ସବରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ମୁଖ୍ୟଅତିଥି ଭାବେ ଯୋଗଦେଇ ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିସି ଉପାଧ୍ୟକ୍ଷା ସୁକାନ୍ତି ମାଝୀ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ (ପିଏ) ସ୍ନେହପ୍ରଭା ମାଝୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ (ଏଡିଡବ୍ଲୁଓ) ପ୍ରମୁଖ ଉପସ୍ଥିତ ଥିଲେ।
ଏହି ନିଯୁକ୍ତି ଫଳରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ମାତୃଭାଷା ଆଧାରିତ ଶିକ୍ଷାଦାନକୁ ବିଶେଷ ପ୍ରୋତ୍ସାହନ ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଶେଷକରି ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ପାଠ ପଢ଼ିବାର ସୁଯୋଗ ପାଇଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ। ଅନ୍ୟପକ୍ଷରେ, କେବଳ ଚତୁର୍ଥ ଶ୍ରେଣୀ ତଥା ଆଉଟସୋର୍ସିଂ ପଦବୀଗୁଡ଼ିକୁ ନେଇ ସରକାରୀ ସ୍ତରରେ ଅତ୍ୟଧିକ ପ୍ରଚାର ପ୍ରସାର କରାଯାଉଥିବା ନେଇ କିଛି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ସମାଲୋଚନା ମଧ୍ୟ ପ୍ରକାଶ ପାଇଛି।
