
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି ।
ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି । ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି । ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧ । ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ । ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧ହଜାର ୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ ।