
ଇରାନ : ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ବିରେଶଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ବିଦେଶ ମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ କହିଛି କି, ଇରାନରେ ଥିବା ଛାତ୍ର, ଶ୍ରଦ୍ଧାଳୁ, ବେପାରୀ ଏବଂ ପର୍ଯ୍ୟଟକ ତୁରନ୍ତ ଇରାନ ଛାଡିଦିଅନ୍ତୁ । ଯେତେଶୀଘ୍ର ସମ୍ଭବ ଇରାନ ଛାଡି ଚାଲିଆସିବାକୁ ପରାମର୍ଶ । ତେହେରାନ ସ୍ଥିତ ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି ହୋଇଛି ।
ବିଦେଶ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଇରାନରେ ଥିବା ଭାରତୀୟ ନାଗରିକ ସାବଧାନତା ଅବଲମ୍ବନ କରନ୍ତୁ, ବିରୋଧ ପ୍ରଦର୍ଶନ ରାଲି ଅଞ୍ଚଳକୁ ଯାଆନ୍ତୁ ନାହିଁ । ଇରାନରେ ଥିବା ଭାରତୀୟ ଦୂତାବାସ ସହିତ ସଂପର୍କ କରନ୍ତୁ । କୌଣସି ଘଟଣା ଜାଣିବା ପାଇଁ ସ୍ଥାନୀୟ ମିଡିଆ ଉପରେ ନଜର ରଖନ୍ତୁ । ଭାରତୀୟ ନାଗରିକ କର୍ମସିଆଲ ବିମାନ ହେଉ ଅବା ଅନ୍ୟ କୌଣସି ଟ୍ରାନ୍ସପୋର୍ଟ ଜରିଆରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି ।
ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ, ଏଯାଏଁ ୨୫୦୦ ଟପିଛି ମୃତ୍ୟୁ ସଂଖ୍ୟା । ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଅତି ଭୟଙ୍କର ରୂପ ଧାରଣ କରିଛି । ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଶାସନ ବିରୁଦ୍ଧରେ ଚାଲିଥିବା ଏହି ବିଦ୍ରୋହକୁ ଦବାଇବା ପାଇଁ ସେନା ଏବଂ ପୋଲିସ ପକ୍ଷରୁ ଚରମ ପଦକ୍ଷେପ ଗ୍ରହଣ କରାଯାଉଛି । ଆନ୍ଦୋଳନରେ ସାମିଲ ଥିବା ଜଣେ ପ୍ରତିବାଦକାରୀଙ୍କୁ ସରକାର ମୃତ୍ୟୁଦଣ୍ଡ ଦେଇଛନ୍ତି ।