ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

ନାଗାଲାଣ୍ଡ: ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଟୁଏନସାଙ୍ଗ ଜିଲ୍ଲାରେ ୧୧ ଜଣ ଏବଂ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ଆଇନ ଲାଗୁ ରହିଛି, ଯାହା ଅଧୀନରେ ରାଜ୍ୟରେ ମଦ ବିକ୍ରି ଓ ସେବନ ଉପରେ ସମ୍ପୂର୍ଣ୍ଣ ଆଇନଗତ କଟକଣା ରହିଛି । ମଦ ମୃତ୍ୟୁ ପରେ ରାଜ୍ୟ ପୋଲିସ ବିଷାକ୍ତ ମଦର କାରଣ ଖୋଜିବା ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛି । ସିନିୟର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଭେସୁପ୍ରା କେଜୋଙ୍କ ନିର୍ଦ୍ଦେଶରେ ଏଡିସନାଲ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଆଇ ବୁଙ୍ଗଲାଙ୍ଗ ଚାଙ୍ଗ ଏହି SIT ର ନେତୃତ୍ୱ ନେଉଛନ୍ତି ।

ପୋଲିସ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଛି । ୩,୦୦୦ ବୋତଲ ବେଆଇନ ମଦ ଜବତ କରିଛି । ମଦରେ ମିଥାନଲ ପରି ମାରାତ୍ମକ କେମିକାଲର ଉପସ୍ଥିତି ଯାଞ୍ଚ କରିବା ପାଇଁ ଏହାର ନମୁନାକୁ ଗୁଆହାଟୀ ଫରେନ୍ସିକ ଲ୍ୟାବ୍ କୁ ପଠାଯାଇଛି । ମୃତ୍ୟୁ ପୂର୍ବରୁ ଆକ୍ରାନ୍ତମାନଙ୍କ ଶ୍ୱାସକ୍ରିୟାରେ କଷ୍ଟ, ଆଖିକୁ ଝାପସା ଦେଖାଯିବା, ପ୍ରବଳ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ଭଳି ଗମ୍ଭୀର ଲକ୍ଷଣ ଦେଖାଦେଇଥିଲା । ପୂର୍ବ ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ କୌଣସି ପ୍ରକାରର ମଦ ସେବନ ନକରିବାକୁ ଅନୁରୋଧ କରିଛନ୍ତି ନାଗାଲାଣ୍ଡ ପୋଲିସ ଡିଜି ।

ad-week
Leave A Reply

Your email address will not be published.