
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ନେଇ ସଂଶୋଧିତ ମାର୍ଗଦର୍ଶିକାରେ ମୋହର ମାରିଲା ପରିଚାଳନା କମିଟି । ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତି ମଣତି ଆରମ୍ଭ ହେବ । ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ । ଗଣତିମଣତି ବେଳେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ । ବାହାରକାଠରୁ ଦର୍ଶନ ହେବ । ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି । ସେହିପରି ଗୁଣ୍ଡିଚା ମନ୍ଦିର ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯିବ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଗୁଣ୍ଡିଚା ମନ୍ଦିର ଖୋଲିବ ।
ଭକ୍ତଙ୍କ ପାଇଁ ପ୍ରବେଶ ଫି ଦଶ ଟଙ୍କା ରଖାଯାଇଛି । ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଶୁଳ୍କ ରହିବ । ୪ ଟି ଭକ୍ତ ନିବାସ ପାଇଁ ୫୦୦ ଟଙ୍କା ପାର୍କିଂ କରାଯାଇଥିଲା । ଏହା ୫୦୦ ପରିବର୍ତ୍ତେ ୨୪୦ ଟଙ୍କା ରହିବ । ଆସନ୍ତାକାଲି ଠାରୁ ଏହା ଲାଗୁ ହେବ । ସେହିପରି ସେବାୟତଙ୍କ ପାଇଁ ମଧ୍ୟ ଲାଗୁ ହେଲା ମୋବାଇଲ ଫୋନ୍ କଟକଣା । କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ । ଖୋଲାଖୋଲି ମୋବାଇଲ ଫୋନ୍ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ ।