
ବେଜିଂ: ଚୀନ୍ର ଉହାନ ସହରରୁ ଆରମ୍ଭ ହୋଇଥିବା କୋଭିଡ-୧୯ ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିଲା। ଏହି ସଂକ୍ରମଣ ୨୦୧୯ ଶେଷ ଭାଗରେ ଆରମ୍ଭ ହୋଇଥିଲା। ଏବେ ଆଉ ଏକ ଭାଇରସ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ନୋରୋଭାଇରସ୍ କୁହାଯାଉଛି। ଏହି ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗୋଟିଏ ସ୍କୁଲରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହା ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।ଦକ୍ଷିଣ ଚୀନ୍ର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସହରର ଏକ ସିନିୟର ହାଇସ୍କୁଲର ୧୦୩ ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ ନୋରୋଭାଇରସ ପଜିଟିଭ୍ ଆସିଛି।। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର କହିଛନ୍ତି ଯେ, କୌଣସି ମାମଲା ଗୁରୁତର ନୁହେଁ। ଏନେଇ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପେଟ ସଂକ୍ରମଣ, ବାନ୍ତି ଓ ଡାଇରିଆ ଭଳି ଲକ୍ଷଣ ପ୍ରକାଶ ପାଇଥିଲା। ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ସ୍କୁଲ କ୍ୟାମ୍ପସକୁ ପରିଷ୍କାର କରାଯାଇଛି। ସଂକ୍ରମଣକୁ ନେଇ ଏକ ମହାମାରୀ ସର୍ଭେ ଚାଲିଛି। ଗୁଆଙ୍ଗଡୋଙ୍ଗ ପ୍ରାଦେଶିକ ରୋଗ ନିୟନ୍ତ୍ରଣ ବିଭାଗ ଅନୁଯାୟୀ, ଏଠାରେ ନୋରୋଭାଇରସ୍ ପ୍ରକୋପ ପ୍ରତିବର୍ଷ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିଥାଏ |
ନୋରୋଭାଇରସ୍ କ’ଣ?
ନୋରୋଭାଇରସ୍ ଏକ ସାଧାରଣ ଭାଇରସ୍ ଯାହା ପେଟକୁ ପ୍ରଭାବିତ କରିଥାଏ। ଏହା ଯୋଗୁ ପେଟ ସଂକ୍ରମଣ, ବାନ୍ତି ଓ ଡାଇରିଆ ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଶୀତଦିନେ ନୋରୋଭାଇରସ୍ ମାମଲା ସବୁଠାରୁ ଅଧିକ ଦେଖାଯାଇଥାଏ। ଏହା ଆମେରିକାରେ ଖାଦ୍ୟଜନିତ ରୋଗର ଏକ ନମ୍ବର କାରଣ।