ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

newyr25

ଭୁବନେଶ୍ୱର: ରାଜ୍ୟରେ ୪ ଜିଲାର ଗୋ-ମାଫିଆଙ୍କ ଘରେ ଚଢଉ ଜାରି ରହିଛି । ଗଞ୍ଜାମ, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରେ ଗୋ-ମାଫିଆଙ୍କ ଘରେ ଚଢଉ କି ବିପୁଳ ଅର୍ଥ, ସୁନା ଅଳଙ୍କାର ଜବତ କରିଛି ପୁଲିସ । ଏହାକୁ ନେଇ ଆଜି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ ୫ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢାଉ ହୋଇଛି । ଗୋ ମାଂସ ଚାଲାଣକାରୀଙ୍କ ସମମ୍ପତ୍ତି ବାଜ୍ୟାପ୍ତି କରାଯିବ । ଗୋ ମାଂସ ଚାଲାଣକାରୀ ସୁଧୁରି ଯିବାକୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ଗଞ୍ଜାମ ଜିଲାର ଏକାଧିକ ବାଲି ମାଫିଆଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚଢଉର ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଭଳି ୪ଟି ଜିଲାର ବେଆଇନ ଗୋ-ଚାଲାଣକାରୀଙ୍କ ଘରେ ଶନିବାର ପ୍ରତ୍ୟୁଷରୁ କେନ୍ଦୁଝର ପୁଲିସର ଏକାଧିକ ଦଳ ୪୬ଟି ସ୍ଥାନରେ ଚଢଉ କରିଛନ୍ତିି। ଏହି ଅଭିଯାନରେ କେନ୍ଦୁଝର ଜିଲାର ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର, କାଳିଆହାତା, ତେଲକୋଇ, ଘସିପୁରା, ତୁରୁମୁଙ୍ଗା, ଜାମୁଜୋଡି, ମୟୂରଭଞ୍ଜ ଜିଲାର ବିଶୋଇ, କରଞ୍ଜିଆ, ଝାରପୋଖରିଆ, ତେଣ୍ଟୋପୋଶି, ଚଢେଇଭୋଳ, କେନ୍ଦ୍ରେଇ, ଠାକୁରମୁଣ୍ଡା ଏବଂ ଯାଜପୁର ଜିଲା କୋରେଇ, ଭଦ୍ରକ ଜିଲାରେ ଚଢ଼ଉ ହୋଇଛି। ତଲାସୀ ବେଳେ ପ୍ରାୟ ୧ କୋଟି ୫୨ ଲକ୍ଷ ୮୨,୫୦୫ ଟଙ୍କା, ୧ କିଲୋ ୧୩୧ ଗ୍ରାମ ସୁନା, ୩ କିଲୋ ୮୦ ଗ୍ରାମ ରୁପା, ୨୩ଟି ଚାରିଚକିଆ ଗାଡ଼ି, ୨୩ଟି ଦୁଇଚକିଆ ଗାଡ଼ି, ୧୩ଟି ମୋବାଇଲ୍ ଫୋନ୍ ଏବଂ ୨୧ଟି ହାତଘଣ୍ଟା ଜବତ କରାଯାଇଛି। ୧୦ ଜଣ ଗୋରୁ ମାଫିଆଙ୍କୁ ଗିରଫ କରାଯାଇଛି।

ସେମାନେ ହେଲେ ଭଦ୍ରକ ଟାଉନର ଏସକେ ରାଜନ ଓରଫ ତାଜୁଦିନ, ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁରର ଟିପୁ ସୁଲତାନ, ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାର କୁନୁ ସାହୁ, ମଣ୍ଟୁ ଓରଫ ଅର୍ଜୁନ ସାହୁ ଏବଂ ସିପୁ ସାହୁ, ବିଶୋଇ ଥାନା ଅନ୍ତର୍ଗତ ଟୁନା ଓରଫ ମୃତୁଞ୍ଜୟ ମହାପାତ୍ର, ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଝାରପୋଖରିଆ ଥାନା ଅଞ୍ଚଳର ସୁଜିତ ମହାନ୍ତି ଏବଂ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଜୋଡିର କୁନୁ ପଠାଣ ଓରଫ ଏସକେ ଆକବର, ନାସିର ଏବଂ ମୟୂରଭଞ୍ଜ ଜିଲା ଅନ୍ତର୍ଗତ ତେଣ୍ଟାପୋସିର ଏସକେ ନଇମ। ବେଆଇନ ଗୋ-ଚାଲାଣ ଆୟରୁ ଗୋ-ମାଫିଆମାନେ ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର କୋଠା, ବ୍ୟାଙ୍କଜମା, ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଛି। ଗୋ-ମାଫିଆଙ୍କର ଶହେ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯିବ ବୋଲି କହିଛନ୍ତି କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଳକର୍। ବିଏନଏନଏସର ଧାରା ୧୦୭ ଅନୁଯାୟୀ ଏହାକୁ ଜବତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି କ୍ରମରେ ଆନ୍ତଃରାଜ୍ୟ ଗୋ’ ଚାଲାଣକାରୀ ସେକ୍ ତାଉଜୁଦ୍ଦିନ ଓରଫ ରାଜନର ଭଦ୍ରକ ମୁଲାସାହିସ୍ଥିତ ଘରୁ ୬୫ ଲକ୍ଷ ୯୨ ହଜାର ନଗଦ ଟଙ୍କା ମିଳିଥିଲା। ଏଥିସହ ସୁନା, ରୁପା ଅଳଙ୍କାର, ​‌େସ୍କାର୍ପିଓ, ସ୍କୁଟି, ବିପୁଳ ସମ୍ପତ୍ତିର କାଗଜପତ୍ର ପୁଲିସ ଜବତ କରିଛି। ସରକାର ନଗରରେ ଏକ କୋଠା ଠାବ କରାଯାଇଛି, ଯାହାକୁ ଏକ ନର୍ସିଂ କଲେଜକୁ ଭଡ଼ାରେ ଦିଆଯାଇଛି। ସେହିଭଳି ସହରର ବାଇପାସରେ ଥିବା ଏକ ବହୁତଳ ବିଶିଷ୍ଟ କୋଠା ମଧ୍ୟ ଠାବ କରାଯାଇଥିଲା, ଯାହାକୁ ଏକ ସପିଙ୍ଗ୍ ମଲକୁ ଭଡ଼ା ଦିଆଯାଇଛି। ସେହିପରି ଜାତୀୟ ରାଜପଥ କଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ୪୪ ଡେସିମଲ ଜମିରେ ନିର୍ମାଣାଧୀନ ୫ ମହଲା କୋଠାକୁ ମଧ୍ୟ ଠାବ କରିଥିଲା ପୁଲିସ। ଏସବୁ କୋଠାବାଡିର ମୂଲ୍ୟ ୫ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଇଛି।

ସେହିଭଳି ଗୋରୁ ଚୋରି ତଥା ବେଆଇନ ଗୋରୁ ଚାଲାଣ କରିଆସୁଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅନ୍ତର୍ଗତ ଘିଆଯୋଡି ଗ୍ରାମର ସୁରଜିତ ମହାନ୍ତି ବାସଭବନରୁ ଚଢ଼ଉବେଳେ ୩୨ ଲକ୍ଷ ୫୫ ହଜାର ନଗଦ ଟଙ୍କା ସହ ୩୭୦ ଗ୍ରାମ ସୁନା ଗହଣା, ୧୦୦ ଗ୍ରାମରୁ ଅଧିକ ରୁପା ସହ ୧୦ଟି ମୋବାଇଲ, ଗାଡ଼ି, ଅନେକ ଘଣ୍ଟା ଆଦି ଜବତ ହୋଇଛି। ପୁଲିସ ସୁରଜିତ ମହାନ୍ତିକୁ ଗିରଫ କରିଛି। କେନ୍ଦୁଝର ପୁଲିସ ଦଳ ଆଜି ସକାଳେ ପହଞ୍ଚି ଘର ମଧ୍ୟକୁ ପ୍ରବେଶ କରିପାରି ନ ଥିଲେ। ଝରକା ଭାଙ୍ଗି ଘରକୁ ପ୍ରବେଶ କରିବା ପରେ ଲୁହା ଗ୍ରିଲକୁ ଖୋଲିଥିଲେ। ଦିନ ୨ଟାରେ ସରକାରୀ ଜମିରେ ନିର୍ମିତ ଗୋଦାମ ଗୃହରେ ପଶିଥିଲା ପୁଲିସ। ସୁରଜିତ ଚାଲାଣ ପାଇଁ ରଖିଥିବା ୭ ଶହରୁ ଅଧିକ ଗୋରୁଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି।
ସେହିଭଳି କରଞ୍ଜିଆ ଥାନା ରସମତଳା ପଞ୍ଚାୟତ ମଣ୍ଡୁଆ ଗ୍ରାମର ଶେଖ ଗୁଡ୍ଡୁଙ୍କ ଘରେ ଚଢ଼ଉ ବେଳେ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା, ୬୮ ଗ୍ରାମ ସୁନା ଓ ୩୦୦ ଗ୍ରାମର ରୁପା ଅଳଙ୍କାର ଜବତ ହୋଇଥିଲା। ସେହିପରି ଚଢେଇଭୋଳ ଫାଣ୍ଡି ଅନ୍ତର୍ଗତ ଚଢ଼େଇଭୋଳ ଗ୍ରାମର ମହମ୍ମଦ ତାଜଉଦ୍ଦିନ ଓ ମହମ୍ମଦ ବାସିରଙ୍କ ଘରେ ତଲାସି ହୋଇଥିଲା। ସେମାନଙ୍କ ଘରୁ କୌଣସି ଆପତ୍ତିଜନକ ଜିନିଷ ଜବତ ହୋଇ ନ ଥିବାବେଳେ ସେମାନଙ୍କ ପଲଙ୍କ, ସୋଫା, ଡାଇନିଂ ସେଟ, ଆଲମିରାକୁ ଜବତ ପରେ ସେମାନଙ୍କୁ ଜିମା ଦିଆଯାଇଥିବା ଜଣାଯାଇଛି।

ଏହି ବ୍ୟାପକ ଅଭିଯାନର ନେତୃତ୍ୱ ଦୁଇଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେଇଛନ୍ତି। ଯେଉଁଥିରେ ପାଞ୍ଚ ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୩୬ ଜଣ ଏସଆଇ ଏବଂ ଏଏସଆଇ ସାମିଲ ଅଛନ୍ତି ଏବଂ ୧୮ ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଅଭିଯାନ କରାଯାଇଛି। ଏକ ବର୍ଷ ପୂର୍ବେ ଗୋ-ମାଫିଆମାନେ ପୁଲିସ୍ ଗାଡ଼ିକୁ ଆକ୍ରମଣ କରି ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲେ। ସେବେଠୁରୁ ଗୋ-ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲା ପୁଲିସ ନିଷ୍ପତ୍ତି ନେଇଯାଇଥିଲା। ଭାରତୀୟ ନ୍ୟାୟ ସଂହିତାର ୧୧୨ ଧାରା, ସଂଗଠିତ ଅପରାଧ ନିୟମ ଅନୁଯାୟୀ ଗୋମାଫିଆଙ୍କ ଉପରେ ୨୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।

Leave A Reply

Your email address will not be published.