
ନୂଆଦିଲ୍ଲୀ : ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ନୂଆ ନୂଆ ଜ୍ଞାନକୌଶଳ ସାମିଲ୍ କରୁଛି । ସ୍ଵଦେଶୀ ଜ୍ଞନକୌଶଳକୁ ବଢ଼ାଇବାରେ ଲାଗିଛି ଦେଶ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ‘ଲଙ୍ଗ୍ ରେଞ୍ଜ୍ ଆଣ୍ଟି ସିପ୍ ହାଇପରସୋନିକ୍ ଗ୍ଲାଇଡ୍ ମିସାଇଲ୍’ (LRASHM) । ଜାନୁଆରୀ ୨୬ ତାରିଖରେ ବିଶ୍ୱ ସମ୍ମୁଖରେ ଏହା ପ୍ରକାଶିତ ହେବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଏହି କ୍ଷେପଣାସ୍ତ୍ର ଭାରତ ମହାସାଗର କ୍ଷେତ୍ରରେ ଭାରତର ରଣନୈତିକ ସ୍ଥିତିକୁ ଯଥେଷ୍ଟ ମଜବୁତ କରିବ ।
ଭାରତୀୟ ନୌସେନାର ଆବଶ୍ୟକତା ପୂରଣ କରିବା ପାଇଁ LRASHM ବିଶେଷ ଭାବରେ ବିକଶିତ କରାଯାଇଛି । ଏହି ମିସାଇଲ୍ ହାଇପରସୋନିକ୍ ବେଗରେ ଉଡ଼େ । ଅର୍ଥାତ୍ ଏହା ଶବ୍ଦର ବେଗ ଅପେକ୍ଷା ଅଧିକ ଦ୍ରୁତ ଗତିରେ ଗତି କରେ । ଏହାର ଗତି ଶତ୍ରୁ ରାଡାରକୁ ଚକମା ଦେବାକୁ ସକ୍ଷମ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍ ଏହାକୁ ସମୟ ମଧ୍ୟରେ ଚିହ୍ନଟ କରି ଅଟକାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।
ଏହି କ୍ଷେପଣାସ୍ତ୍ର ବିଭିନ୍ନ ପ୍ରକାରର ପେଲୋଡ୍ ବହନ କରିବାରେ ସକ୍ଷମ ଏବଂ ସମୁଦ୍ରରେ ନିୟୋଜିତ ଶତ୍ରୁ ଜାହାଜର ଅସ୍ତ୍ରଶସ୍ତ୍ର ପ୍ରଣାଳୀକୁ ସିଧାସଳଖ ଟାର୍ଗେଟ କରିବାରେ ବି ସକ୍ଷମ । ଏହା ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ଏବଂ ସମୁଦ୍ରରେ ନିଜର ନିୟନ୍ତ୍ରଣ ରକ୍ଷା କରିବାରେ ଯଥେଷ୍ଟ ସହାୟକ ହେବ ।
ପ୍ରକଳ୍ପ ନିର୍ଦ୍ଦେଶକ ଏ. ପ୍ରସାଦ ଗୌଡଙ୍କ ଅନୁଯାୟୀ, ଡିଆରଡିଓ ନିରନ୍ତର ହାଇପରସୋନିକ୍ ଗ୍ଲାଇଡ୍ ଏବଂ ହାଇପରସୋନିକ୍ କ୍ରୁଜ୍ ମିସାଇଲ୍ ଟେକନିକ୍ ଉପରେ କାର୍ଯ୍ୟ କରୁଛି ।