
ଆମେରିକା : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆମେରିକାର ସବୁଠାରୁ ବଡ଼ ବିଧ୍ୱଂସକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଇରାନ ନିକଟରେ ପହଞ୍ଚିଛି । ଯାହା ବଡ଼ ଦୁର୍ଘଟଣାର ସଙ୍କେତ ଦେଉଛି ।
ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି ଯେ, ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍କୁ ପ୍ରଶାନ୍ତ ମହାସାଗରରୁ ହଟାଇ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଛି । ଏହା ସହିତ ଏକାଧିକ ଏଫ୍-୧୫ଇ ଯୁଦ୍ଧବିମାନ ବ୍ରିଟେନରୁ ଜୋର୍ଡାନକୁ ପଠାଯାଇଛି । ଆଗାମୀ ଦିନରେ ଏଫ୍ ୧୬ ଏବଂ ଏ-୧୦ ଆଟାକ୍ ଏୟାରକ୍ରାଫ୍ଟ ମଧ୍ୟ ଏହି ଅଞ୍ଚଳରେ ମୁତୟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେହେରାନ ଉପରେ ଆମେରିକା ଅତି ଅପ୍ରତ୍ୟାଶିତ ଢଙ୍ଗରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରି ଇସ୍ରାଏଲ ମଧ୍ୟ ଯୁଦ୍ଧ ପ୍ରସ୍ତୁତି ଚଳାଇଛି । ଆମେରିକାର ଆକ୍ରମଣ ଆରମ୍ଭ ହେବା ମାତ୍ରେ ଇରାନ ଇସ୍ରାଏଲକୁ ପ୍ରଥମେ ଟାର୍ଗେଟ୍ କରିବା ପ୍ରାୟ ନିଶ୍ଚିତ ଥିବାରୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ବ୍ୟାପକ ପ୍ରସ୍ତୁତି ଚଳାଇଛି ।
ଅନ୍ୟପଟେ ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇସ୍ରାଏଲ ମଧ୍ୟ ଯୁଦ୍ଧ ମୋଡରେ ପହଞ୍ଚିଛି । ଦେଶରେ ସତର୍କତା ସ୍ତର ବୃଦ୍ଧି କରିବା ସହିତ, ଇରାନରୁ ଯେକୌଣସି ସମ୍ଭାବ୍ୟ ଆକ୍ରମଣର ମୁକାବିଲା କରିବା ପାଇଁ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ସକ୍ରିୟ କରାଯାଇଛି । ଆଇଡିଏଫ ଚିଫ୍ ଅଫ୍ ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ୍ ଜମିର କହିଛନ୍ତି ଯେ ସେନା ଯେକୌଣସି ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ । ଇସ୍ରାଏଲୀ ଖବରକାଗଜ ଦି ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ ହୋମ୍ ଫ୍ରଣ୍ଟ ତାଲିମପ୍ରାପ୍ତ ଏବଂ ସକ୍ଷମ ଏବଂ ଆମର ସେନା ହାଇ ଆଲର୍ଟରେ ରହିଛି ।