
ବାସୁଦେବପୁର: ଆରପାରିକୁ ଚାଲିଗଲେ ଘରର କୂଳ ନନ୍ଦନ । ଛାରଖାର ହୋଇଗଲା ୨ଟି ପରିବାର । ରୋଜଗାରିଆ ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ । ରାସ୍ତାରେ ଯାଉ ଯାଉ ଏମିତି ୨ ଜଣଙ୍କ ଜୀବନ ଚାଲିଯିବ କିଏ ବା ଜାଣିଥିଲା । କାଳ ଯେମିତି ଜଗି ବସିଥିଲା ୨ ଜଣଙ୍କୁ ଆରପାରିକୁ ନେବା ପାଇଁ, ଆଉ ଦୁର୍ଘଟଣାରେ ସବୁ କିଛି ଶେଷ ହୋଇଗଲା ।
ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ସାନକୃଷ୍ଣ ପୁର ପଞ୍ଚାୟତ ସ୍ଥିତ ପାରାପୋଖରୀ ଛକ ନିକଟରେ ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ୨ ଜଣ ମୃତକ ଚାନ୍ଦିମାଲ ଛକ ନିକଟରୁ ବିଦେଇପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଗାଡି ଧକା ଦେଇ ଖସି ପଲାଇ ଯାଇଥିଲା । ଜୋର ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ମୃତକଙ୍କ ନାମ ଦୀପକ ରାଉତ ଓ କାହ୍ନୁ ଚରଣ ରାଉତ ବୋଲି ଜଣା ପଡ଼ିଥିବା ବେଳେ ଉଭୟଙ୍କ ଘର ଯାଜପୁର ରୋଡ଼ ବୋଲି ଜଣାପଡିଛି । ଉଭୟ ବିରସ ଗାଁରେ ପ୍ରାୟ ଏକ ମାସ ହେବ ରହି ଜେସିବି ଚଳାଉଥିଲେ । ଗତ କାଲି କାମ ସାରି ଚାନ୍ଦିମାଳ ଆସୁଥିବା ବେଳେ ଏକ ଦ୍ରୁତଗାମୀ ଗାଡି ତାଙ୍କୁ ଧକା ଦେଇ ଖସି ପଲାଇଥିଲା । ମୃତକଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ଗାଁର ବୈରୀମାଲ ଗାଁରେ ବୋଲି ଜଣାପଡିଛି । ଖବର ପାଇ ପରିବାର ଲୋକେ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚିଥିଲେ । କହି ରଖୁଛୁ ସେମାନଙ୍କ ମଧ୍ୟରୁ ଦୀପକ ଜେସିବିରେ ଡ୍ରାଇଭର ଭାବେ କାମ କରୁଥିବା ବେଳେ କାହ୍ନୁ ଚରଣ ତାଙ୍କ ପାଖରେ ହେଲ୍ପର ଭାବେ କାମ କରି ଆସୁଥିଲେ ।
ଦୁର୍ଘଟଣା ନେଇଗଲା ୨ଟା ଜୀବନ । ପ୍ରତିଦିନ ଏମିତି ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଉଛି । ଯେତେ ଲୋକଙ୍କୁ ସଚେତନ କଲେ ବି ଦୁର୍ଘଟଣା ଥମିବାର ନାଁ ନେଉନି । କେତେବେଳେ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ଏମିତି ଦୁର୍ଘଟଣା ଘଟୁଛି ତ କେତେବେଳେ ମୋବାଇଲ ଫୋନ ସାଜୁଛି କାଳ । ତେଣୁ ଗାଡ଼ି ଚଳାଇବା ସମୟରେ ଯଦି ଆପଣ ସତର୍କତାର ସହ ଗାଡ଼ି ଚଳାଇବେ ନିଶ୍ଚିତ ଭାବେ ଏଭଳି ଦୁର୍ଘଟଣାରୁ ବର୍ତ୍ତିପାରିବେ ।