
ଆମେରିକା : ଆମେରିକାରେ ଗତ ଜାନୁଆରୀ ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ପ୍ରବଳ ବରଫପାତ ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା ।
ବରଫ ଝଡରେ ୧୪ଟି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ଗୁରୁତର ଭାବେ ପ୍ରଭାବିତ ହୋଇଛି । କିଛି ସ୍ଥାନରେ ମାଇନସ ୨୫ ଡିଗ୍ରୀକୁ ଖସିଆସିଛି ପାରଦ । ବରଫ ଝଡ ଯୋଗୁଁ ବିଦ୍ୟୁତ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି । ସାରାଦେଶର ପ୍ରାୟ ୫ ଲକ୍ଷ ଲୋକ ଅନ୍ଧାରରେ ଅଛନ୍ତି ।
ନ୍ୟୁୟର୍କ , ଟେକ୍ସାସ, ଟେନେସି, ମିସିସିପି ଓ ଲୁଇସିଆନାରେ ସ୍ଥିତି ଅତି ସାଂଘାତିକ ରହିଛି । ଖରାପ ପାଗ ଯୋଗୁଁ ସାରା ଦେଶରେ ପ୍ରାୟ ୨୩ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି । ମିନେସୋଟାର କିଛି ସ୍ଥାନରେ ତାପମାତ୍ରା ମାଇନସ ୪୩ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ପ୍ରାୟ ୨୪ଟି ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।
ଉଦ୍ଧାରକାରୀ ଦଳ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ, ଖାଦ୍ୟ ଓ ଜରୁରୀ ସାମଗ୍ରୀ ଗଚ୍ଛିତ ରଖିବାକୁ ଏବଂ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।