
ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି, ପ୍ରତି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଛି, ସାରା ବିଶ୍ବରେ ଭାରତର ଚର୍ଚ୍ଚା ହେଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି । ଦେଶର ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ମିଳିଛି । ସେହିପରି ଗ୍ଲୋବାଲ ସାଉଥ୍ ର ନେତୃତ୍ୱ ଭାରତ ନେଉଥିବା ରାଷ୍ଟ୍ରପତି କହିଛନ୍ତି ।
ଭାରତ ବିକାଶଶୀଳ ଦେଶଗୁଡ଼ିକର ସମସ୍ୟାକୁ ବିଶ୍ୱ ମଞ୍ଚରେ ସଫଳତାର ସହ ଉପସ୍ଥାପନ କରିଛି । ଦାରିଦ୍ର୍ୟତା ଦୂରୀକରଣ ଦିଗର ଦେଶ ବଡ଼ ଉପଲବ୍ଧି ପାଇଥିବା ରାଷ୍ଟ୍ରପତି କହିଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୨୫ କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଆସିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ୬କୋଟି ବରିଷ୍ଠ ନାଗରିକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ୩ କୋଟି ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରାମାଞ୍ଚଳରେ ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି ପାଇଁ ‘ବିକଶିତ ଭାରତ-ଜି ରାମ ଜି’ ଆଇନ ପ୍ରଣୟନ କରାଯାଇଛି । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।