
କଟକ : ପଦୋନ୍ନତିରେ ଏସ୍.ସି ଓ ଏସ୍.ଟି ସଂରକ୍ଷଣ ନେଇ ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡିଶା ହାଇକୋର୍ଟ । ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହିରଣ୍ମୟୀ ନାୟକ ସମେତ ୬୩ ଟି ଆବେଦନର ଏକତ୍ର ଶୁଣାଣି କରି ୧୦୩ ପ୍ରୁଷ୍ଠାର ଐତିହାସିକ ରାୟ ପ୍ରଦାନ କରିଛନ୍ତି ମାନ୍ୟବର ବିଚାରପତି ଜଷ୍ଟିସ ଶତପଥୀ । ଏସ୍ .ସି ଓ ଏସ୍ .ଟି ବିଭାଗର ୨୦୨୪ ଓ ୨୦୨୫ ସଂଶୋଧିତ ନିର୍ଦ୍ଦେଶନାମାକୁ ଅସିଦ୍ଧ ଘୋଷଣା କରିଛନ୍ତି ।
ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ନିର୍ଦ୍ଦେଶନାମା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ । ରୁଲ୍-୩ (କ) ସଂଶୋଧିତ ୨୦୨୨ ଅନୁଯାୟୀ ଏସ୍. ସି ଓ ଏସ୍. ଟି ପ୍ରାର୍ଥୀ ନିଜ ଯୋଗ୍ୟତାକୁ ଆଧାର କରି ପଦୋନ୍ନତୀ ପାଇବାକୁ ହକଦାର । ଆଵେଦନକାରୀଙ୍କ ପକ୍ଷରୁ ମିଳିତଭାବେ ଦର୍ଶାଯାଇଥିଲା ଯେ ସଂଶୋଧିତ ଆଦେଶନାମା ୧୯୯୨ ଓସିଏସ୍ ପଦୋନ୍ନତି ରୁଲ୍ ର ବିରୋଧାଚରଣ କରୁଛି । ୧୯୯୨ ଓସିଏସ୍ ପଦୋନ୍ନତି ଆଇନ ଅନୁଯାୟୀ କେବଳ ଜି.ଏ ଓ ପି. ଜି ବିଭାଗର ଏହି ଅଧିକାର ରହିଛି । ଏସ୍ ସି ଓ ଏସ୍ ଟି ବିଭାଗ ସଂଶୋଧିତ ନିର୍ଦ୍ଦେଶନାମା ପ୍ରଣୟନ ଲାଗି ଜି. ଏ ଓ ପି. ଜି ବିଭାଗର ଅନୁମୋଦନ ନିଆଯାଇ ନ ଥିଲା ।
ସମ୍ବିଧାନର ଧାରା ୧୬-(୪)(କ) ଓ ସର୍ବୋଚ୍ଚ ନ୍ୟାୟାଳୟର ଏମ୍. ନାଗରାଜ ଓ ଜର୍ଣ୍ଣେଲ ସିଂହ ମାମଲାର ଆଦେଶନାମାକୁ ଆଧାର କରି ଓଡ଼ିଶା ସରକାରଙ୍କ ପ୍ରତ୍ୟେକ ବିଭାଗ ଆଗାମୀ ଦିନରେ ହେବାକୁ ଥିବା ପଦୋନ୍ନତି ନିମନ୍ତେ ଏସ୍. ସି ଓ ଏସ୍. ଟି ବିଭାଗର ପଦୋନ୍ନତି ପ୍ରାର୍ଥୀତ୍ବକୁ ନେଇ ବିଚାର କରି ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଵେଦନକାରୀଙ୍କ ପକ୍ଷରୁ ବରିଷ୍ଟ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏହି ମାମଲାକୁ ପରିଚାଳନା କରିଥିଲେ ।