ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ବନ୍ଧୁକ ଜବତ, ସ୍କୁଲ ଆଗରେ ହୋହଲ୍ଲା

add-all

ବାଲେଶ୍ବର: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗ୍‌ରୁ ମିଳିଲା ବନ୍ଧୁକ। ଜବତ ପାଇଁ ଆସି ପୋଲିସ ହଟହଟା। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ତଥା ଖନ୍ତାପଡ଼ା ଥାନା ଅଧୀନ ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଛି ବନ୍ଧୁକ। ଛାତ୍ରଛାତ୍ରୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଆଗରେ ହୋହଲ୍ଲା କରିଛନ୍ତି। ଖବର ପାଇ ସ୍କୁଲରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଅଭିଭାବକମାନେ ଅଟକ ରଖିଥିଲେ।

ସୂଚନା ଅନୁସାରେ, ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ନିଜ ବ୍ୟାଗରେ ଏକ ବନ୍ଧୁକ ରଖିଥିବା ସହପାଠୀମାନେ ଜାଣିବା ପରେ ଶ୍ରେଣୀ ଶିକ୍ଷକଙ୍କୁ ଅବଗତ କରିଥିଲେ। ଏହାପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ଜେନା ପହଞ୍ଚି ବ୍ୟାଗ୍‌ରେ ଅସଲି ବନ୍ଧୁକ ଥିବା ଜାଣିବା ପରେ ଆତଙ୍କ ଖେଳି ଯାଇଥିଲା। ଖବର ପ୍ରଚାର ହେବାରୁ ଶହଶହ ଅଭିଭାବକ ପହଞ୍ଚି ନିଜ ପିଲାଙ୍କ ସୁରକ୍ଷା ଦାବିରେ ସ୍କୁଲ ଆଗରେ ହୋହଲ୍ଲା କରିଥିଲେ। ଏହାସହ ବନ୍ଧୁକ ଆଣିଥିବା ଛାତ୍ରଙ୍କୁ ଟିସି ଦେଇ ବିଦା କରାଯାଉ ବୋଲି ଅଡ଼ି ବସିଥିଲେ।

ଖବର ପାଇ ଖନ୍ତାପଡ଼ା ଥାନା ଏଏସ୍‌ଆଇ ଉଦୟ ନାରାୟଣ ଭକ୍ତା ପହଞ୍ଚି ବନ୍ଧୁକଟି ଜବତ କରିବା ସହ ଉକ୍ତ ଛାତ୍ରଙ୍କୁ ଧରି ସ୍କୁଲ ପରିସରରୁ ବାହାରକୁ ଆସୁଥିବା ବେଳେ ଉପସ୍ଥିତ ଲୋକଙ୍କ ବିରୋଧର ଶିକାର ହୋଇଥିଲେ। ଏଏସ୍‌ଆଇ ସାଦା ପୋଷାକରେ ଆସିଥିବାରୁ ଉକ୍ତ ଛାତ୍ରଙ୍କୁ ସୁରକ୍ଷା ଦେଉଥିବା ସନ୍ଦେହ କରି ଅଭିଭାବକମାନେ ତାଙ୍କୁ ଘେରି ଯାଇଥିଲେ। ପରେ ଏସ୍‌ଆଇ ପହଞ୍ଚି ବୁଝାସୁଝା କରିବା ସହ ୨ ଘଣ୍ଟା ପରେ ଛାତ୍ର ଜଣଙ୍କୁ ଭିଡ଼ ଭିତରୁ ଉଦ୍ଧାର କରିଥିଲେ।

ad-week
Leave A Reply

Your email address will not be published.