
ନାଇଜର: ନାଇଜରର ରାଜଧାନୀ ନିଆମେରେ ବଡ଼ ଆକ୍ରମଣ । ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଏକ ଭୟଙ୍କର ଆକ୍ରମଣ ହୋଇଛି । ନାଇଜରର ରାଷ୍ଟ୍ରାୟତ୍ତ ପ୍ରସାରକ କହିଛନ୍ତି ଯେ, ବୁଧବାର ରାତିରେ ସଶସ୍ତ୍ର ଲୋକମାନେ ରାଜଧାନୀରେ ଥିବା ନାଇଜର ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ପ୍ରବଳ ଗୁଳିଚାଳନା ଏବଂ ବିସ୍ଫୋରଣ ହୋଇଥିଲା । ଆକ୍ରମଣକାରୀମାନେ ମୋଟରସାଇକେଲରେ ଆସିଥିଲେ ଏବଂ ସୁରକ୍ଷା ବାହିନୀ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ ।
ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଚାରି ଜଣ ସୈନିକ ଆହତ ହୋଇଛନ୍ତି । ଗୁଳିରେ, ୨୦ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ଅଧିକାଂଶ ଆକ୍ରମଣକାରୀ ଆହତ ହୋଇଥିଲେ। ଏହି ଆକ୍ରମଣ ମଧ୍ୟରାତ୍ରିରେ ହୋଇଥିବା ଜଣାପଡିଛି ।
ଏଥିସହ ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ବିସ୍ଫୋରଣ ଏବଂ ଗୁଳି ଫୁଟିବା ଶବ୍ଦ ମଧ୍ୟ ଶୁଣାଯାଇଥିଲା । ନିଆମେ ବିମାନବନ୍ଦରର ରନୱେରେ ଠିଆ ହୋଇଥିବା ଏକ ବିମାନ ଗୁଳିର ଶିକାର ହୋଇଛି । ଯାହା ଫଳରେ ଫ୍ୟୁଜେଲେଜ୍ ଏବଂ ଡାହାଣ ପକ୍ଷ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ ଉଡାଣରେ ପରିବର୍ତ୍ତନ ଆସିପାରେ ବୋଲି ସୂଚନା ମିଳିଛି ।