ବାଂଲାଦେଶର ହିନ୍ଦୁ ନେତା ରମେଶ ଚନ୍ଦ୍ର ସେନଙ୍କ ଜେଲରେ ମୃତ୍ୟୁ

newyr25

ବାଂଲାଦେଶ: ବାଂଲାଦେଶର ଅନ୍ୟତମ ହିନ୍ଦୁ ନେତା ଏବଂ ପୂର୍ବତନ ମନ୍ତ୍ରୀ ହେଉଛନ୍ତି ରମେଶ ଚନ୍ଦ୍ର ସେନ । ଯାହାଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶନିବାର ଦିନ ଜେଲରେ ତାଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହେବା ପରେ ମୃତ୍ୟୁ ଘଟିଛି । ସେନ୍ ତାଙ୍କର ସହାୟକ ସ୍ୱଭାବ ଏବଂ ନିର୍ଦ୍ଦୋଷ ରାଜନୈତିକ କ୍ୟାରିୟର ପାଇଁ ଜଣାଶୁଣା ଥିଲେ । ରମେଶ ଚନ୍ଦ୍ର ସେନ୍ ପୂର୍ବତନ ବାଂଲାଦେଶୀ ଜଳସମ୍ପଦ ମନ୍ତ୍ରୀ ଏବଂ ପାଞ୍ଚ ଥର ସାଂସଦ (ଏମ୍ ପି) ମଧ୍ୟ ଥିଲେ, ଯିଏକି ୨୦୨୪ ମସିହାରେ ତାଙ୍କର ଶେଷ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ ।

ଜେଲ ଅଧିକାରୀଙ୍କ ଅନୁଯାୟୀ, ଶନିବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିନାଜପୁର ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ସକାଳ ପ୍ରାୟ ୯,୨୯ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜେଲ ଅଧୀକ୍ଷକ ଫରହାଦ ସରକାର ନିଶ୍ଚିତ କରିଛନ୍ତି।

ସେନ୍ ୮୫ ବର୍ଷ ବୟସ୍କ ଥିଲେ ଏବଂ ଅନେକ ରୋଗରେ ପୀଡିତ ଥିଲେ । ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ସମୟରେ ଜେଲର ପରିସ୍ଥିତି ସହିତ ପରିଚିତ ଲୋକଙ୍କ ଅନୁସାରେ, ପୂର୍ବତନ ମନ୍ତ୍ରୀ ଭାବରେ ତାଙ୍କୁ ଯେଉଁ ଯତ୍ନ ମିଳିବା କଥା ତାହା ମିଳୁ ନଥିଲା। ତାଙ୍କ ବିରୁଦ୍ଧରେ ହତ୍ୟା ସମେତ ତିନୋଟି ଅଭିଯୋଗ ଆସିଥିଲା ।
ଏଥିସହ ଜାଣିରଖନ୍ତୁ ଯେ, ଅଗଷ୍ଟ ୨୦୨୪ ରେ ସେନଙ୍କ ଗିରଫଦାରୀର ଖବର ସାମ୍ନାକୁ ଆସିଥିଲା । ତାଙ୍କ ହାତକୁ ଏକ ରଶିରେ ବନ୍ଧା ହୋଇଥିଲା ଏବଂ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ବାଂଲାଦେଶୀମାନେ ସେନଙ୍କ ମୃତ୍ୟୁ ଖବର ଫେସବୁକରେ ସେୟାର କରି ଏହାକୁ ‘ଜେଲରେ ହତ୍ୟା’ ବୋଲି କହିଛନ୍ତି।

ଢାକାସ୍ଥିତ କଣ୍ଟେଣ୍ଟ କ୍ରିଏଟର ପ୍ରଦୀପ କୁମାର ଚୌଧୁରୀ ଫେସବୁକରେ ଲେଖିଛନ୍ତି, ‘ମୁଁ ଜାଣେ ତାଙ୍କ ବିଷୟରେ ବହୁତ ମିଛ ପ୍ରଚାର କରାଯିବ। ସେମାନେ କହିବେ ଯେ ସେ ଅସୁସ୍ଥତା ଯୋଗୁଁ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ନା, ଏହା ଆଉ ଏକ ହତ୍ୟା । ଏହି ଘଟଣା ଏବେ ଦେଶରେ ନ୍ୟାୟ, ଶାସନ ଏବଂ ଆଇନର ଶାସନ ଉପରେ ହେଉଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave A Reply

Your email address will not be published.