ଅପହଞ୍ଚ ଖଜୁରୀପୁଟର ଦୁର୍ଦ୍ଦଶା: ସ୍ୱାଧୀନତାର ୭ ଦଶନ୍ଧି ପରେ ବି ମିଳୁନି ମୌଳିକ ସୁବିଧା…

newyr25

ଅନ୍ଧାରରେ ଗାଁ, ପିଇବାକୁ ଚୁଆ ପାଣି ଭରସା; ଭାରରେ ବୁହା ହେଉଛନ୍ତି ଗର୍ଭବତୀ

କୋରାପୁଟ, ୨୦/୦୨: ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ମଧ୍ୟ ଉନ୍ନୟନର ଆଲୋକ ପହଞ୍ଚିପାରିନି କୋରାପୁଟ ଜିଲ୍ଲାର ଏକ ଦୁର୍ଗମ ଗାଁରେ। ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ପାହାଡ଼ ଘେରା ଖଜୁରୀପୁଟ ଗ୍ରାମବାସୀ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ। ଗାଁକୁ ନା ଅଛି ଭଲ ରାସ୍ତାଟିଏ, ନା ମିଳୁଛି ବିଶୁଦ୍ଧ ପାନୀୟ ଜଳ କି ବିଜୁଳି ଆଲୁଅ। ଫଳରେ ଏକ ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଏଠାକାର ୧୫ରୁ ଊର୍ଦ୍ଧ୍ବ ପରିବାର।

ରାସ୍ତା ନଥିବାରୁ ସ୍ୱାସ୍ଥ୍ୟସେବା ଅପହଞ୍ଚ:
ଗାଁର ମୁଖ୍ୟ ସମସ୍ୟା ପାଲଟିଛି ପାହାଡ଼ିଆ ପାଦଚଲା ରାସ୍ତା। ପକ୍କା ରାସ୍ତାଟିଏ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଲୋକେ। ସବୁଠୁ ବଡ଼ ଦୁର୍ଭାଗ୍ୟ ହେଉଛି, କୌଣସି ଗର୍ଭବତୀ ଅସୁସ୍ଥ ହେଲେ କିମ୍ବା ପ୍ରସବ ବେଦନା ହେଲେ, ତାଙ୍କୁ ଖଟିଆରେ ଭାର କରି ପ୍ରାୟ ୨ କିଲୋମିଟର ଦୁର୍ଗମ ପାହାଡ଼ିଆ ରାସ୍ତା ବୋହି ଆଣିବାକୁ ପଡ଼ିଥାଏ। ପିଚୁ ରାସ୍ତାରେ ପହଞ୍ଚିବା ପରେ ଯାଇ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡ଼ି ଯୋଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଏ। ଏଭଳି ସ୍ଥିତିରେ ଅନେକ ସମୟରେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।

ଚୁଆ ପାଣିରେ ମେଣ୍ଟୁଛି ଶୋଷ:
ପାନୀୟ ଜଳର ସମସ୍ୟା ମଧ୍ୟ ଏଠାରେ ଅତ୍ୟନ୍ତ ଗମ୍ଭୀର। ଦୁଇ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ଏକ ନଳକୂପ ଖନନ କରାଯାଇଥିଲା, କିନ୍ତୁ ମାତ୍ର ମାସକ ପରେ ସେଥିରୁ ଗୋଳିଆ ପାଣି ବାହାରିବା ସହ ତାହା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଲା। ଫଳରେ, ଗ୍ରାମବାସୀ ନିକଟସ୍ଥ ଏକ ଚାଷ ଜମିରେ ଚୁଆ ଖୋଳି ସେହି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି, ଯାହାକି ବିଭିନ୍ନ ରୋଗର କାରଣ ପାଲଟୁଛି।

ବିଜୁଳି ଆଲୁଅ ଏବେବି ସ୍ୱପ୍ନ:
ବିଜୁଳି ଆଲୁଅ ଏହି ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ପ୍ରଶାସନ ପକ୍ଷରୁ ୧୫ଟି ପରିବାରକୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା କେବଳ ନାମକୁ ମାତ୍ର। ଏହି ଲାଇଟ୍‌ଗୁଡ଼ିକ ରାତିରେ ମାତ୍ର ଦୁଇ-ଚାରି ଘଣ୍ଟା ଜଳିବା ପରେ ଲିଭିଯାଏ। ତେଣୁ ଅନ୍ଧାର ରାତିରେ ପୁଣି ଡିବିରି ଆଲୁଅ ହିଁ ସେମାନଙ୍କର ଏକମାତ୍ର ଭରସା।

ଏହି ସମସ୍ତ ମୌଳିକ ସମସ୍ୟା ବିଷୟରେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ବେଳେ ଖଜୁରୀପୁଟ ଭଳି ଅନେକ ଗାଁର ଲୋକେ ଆଜିବି ଏକ ଅନ୍ଧକାରମୟ ଓ ଦୁର୍ବିଷହ ଜୀବନଯାପନ କରୁଛନ୍ତି।

Leave A Reply

Your email address will not be published.