୫୦ରୁ ଉର୍ଦ୍ଧ୍ବ ପାକ୍ସ ଆକାଉଣ୍ଟ ଅଚଳ: ପାକ୍ସ ଆୟକର ଅନ୍ତର୍ଭୁକ୍ତ କି?

newyr25

ନୟାଗଡ଼: ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଆୟକର ଫାଙ୍କିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ବିଭିନ୍ନ ପାକ୍ସ ଆକାଉଣ୍ଟ ଅଚଳ ପାଇଁ ଆୟକର ବିଭାଗ ନୋଟିସ କରିଛି ।ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିଭିନ୍ନ ଶାଖା ପରିଚାଳକଙ୍କୁ ନୋଟିସ କରାଯାଇ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ପାକ୍ସ ଋଣ ଓ ଅନ୍ୟାନ୍ୟ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି ।ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଠାରୁ ଟଙ୍କା ନେଇ ସମବାୟ ସମିତି ତଥା ପାକ୍ସ ଗୁଡ଼ିକୁ ଲୋକଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି। ପାକ୍ସ ଗୁଡ଼ିକ ଏ ବାବଦରେ ସାମାନ୍ୟତମ କମିଶନ ପାଉଥିବା ବେଳେ ବ୍ୟାପକ ଲାଭାଂଶ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ପାଉଛନ୍ତି ।ମାତ୍ର ବାରମ୍ବାର ଋଣ ଦେଣ ନେଣ କରାଇ ସମବାୟ ବ୍ୟାଙ୍କ ଏବେ ପାକ୍ସ ଗୁଡ଼ିକୁ ଅଡ଼ୁଆ ମଧ୍ୟକୁ ପଠାଇ ଦିଆଯାଇଛି।ଆୟକର ବିଭାଗ ପାକ୍ସ ଆକାଉଣ୍ଟ ଫ୍ରିଜ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନୀରବଦ୍ରଷ୍ଟା ।ଏଭଳି ପରିସ୍ଥିତିରେ ସୁପ୍ରିମ କୋର୍ଟଙ୍କ ନିଷ୍ପତି ଓ କେନ୍ଦ୍ର ସମବାୟ ବିଭାଗ ଚିଠିରୁ ସମବାୟ ସମିତି ବା ପାକ୍ସ ଗୁଡ଼ିକ ଆୟକର ଅନ୍ତର୍ଭୁକ୍ତ କି ନାହିଁ ତାକୁ ନେଇ ଦ୍ଵନ୍ଦ ରହିଛି।୨୦୨୨ ମସିହା ସୁପ୍ରିମକୋର୍ଟ ସିଭିଲ ଅପିଲ ନମ୍ବର ୮୭୧୯ ମାମଲାର ଶୁଣାଣିରେ ଅପ୍ରେଲ ୧୦, ୨୦୨୩ ମସିହାରେ ପ୍ରକାଶିତ ନିର୍ଦ୍ଦେଶ ଅନୁସାରେ ସେବା ସମବାୟ ସମିତି ତଥା କୃଷି ପାଇଁ ସମର୍ପିତ ସୋସାଇଟି ଗୁଡ଼ିକ ଆୟକର ଅର୍ନ୍ତଭୁକ୍ତ ନୁହେଁ ବୋଲି ଜଣାପଡିଛି।ଏହି ନିର୍ଦ୍ଦେଶ ଆଧାରରେ କେନ୍ଦ୍ର ସମବାୟ ବିଭାଗ ୨୦୨୩ ମସିହା ଜୁଲାଇ ୭ ତାରିଖରେ ସମସ୍ତ ରାଜ୍ୟକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ ।ସୋସାଇଟି ଗୁଡ଼ିକ ଆୟକର ଅନ୍ତର୍ଭୁକ୍ତ ହୋଇନଥିବା ସୁପ୍ରିମକୋର୍ଟ ଓ କେନ୍ଦ୍ର ସମବାୟ ବିଭାଗର ନିର୍ଦ୍ଦେଶ ରହିଥିବା ବେଳେ କିପରି ଆୟକର ବିଭାଗ ପାକ୍ସ ଆକାଉଣ୍ଟ ଅଚଳ କରିଛି ବୋଲି ଅନେକ ସମବାୟବିତ୍ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଆୟକର ବିଭାଗ ପାକ୍ସ ଗୁଡ଼ିକୁ ନୋଟିସ ଦେଇ ଆସୁଅଛି ।ଏହାକୁ ସମାଧାନ କରିବା ପାଇଁ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା କତୃପକ୍ଷ ବିଗତ ଦିନରେ ପାକ୍ସ ଗୁଡିକରୁ ୧୫ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିଲେ ।ଏହି ଅର୍ଥକୁ ଚଳୁ କରି ଦିଆଯାଇଥିବା ଯୋଗୁଁ ପାକ୍ସ ଗୁଡ଼ିକ ଅଡ଼ୁଆରେ ପଡ଼ିଛନ୍ତି ।ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିଭିନ୍ନ ଶାଖା ଅଧୀନରେ ରହିଥିବା ପାକ୍ସ ଗୁଡ଼ିକର ବ୍ୟାଙ୍କ ଖାତାରେ ଦେଣନେଣ ନକରିବା ପାଇଁ ଆୟକର ବିଭାଗ ଗତ ୧୧ ତାରିଖରେ ନୋଟିସ ଜାରି କରିଥିଲେ ।ଏହି ନୋଟିସ ଆଧାରରେ ବିଭିନ୍ନ ଶାଖା ପରିଚାଳକ ମାନେ ପାକ୍ସ ଆକାଉଣ୍ଟ ଅଚଳ କରିଦେଇଛନ୍ତି ।ଏହାକୁ ନେଇ ସମସ୍ତ ପାକ୍ସ ଏବେ ଚିନ୍ତାରେ ।ବ୍ୟାଙ୍କ ଖାତା ଅଚଳ ହେଲେ ଚାଷୀଙ୍କୁ ଋଣ ଦେଣନେଣ, ପାକ୍ସ ଗୁଡ଼ିକର ପରିଚାଳନା, କର୍ମଚାରୀଙ୍କୁ ଦରମା ଦେବା, ମଣ୍ଡି ପରିଚାଳନା ପାଇଁ ଟଙ୍କା ଉଠାଣ ହୋଇପାରିବନାହିଁ ।ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଆୟକର ଜାଲରୁ ନିଜକୁ ମୁକ୍ତ କରିଥିବା ବେଳ ପାକ୍ସ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯାଉନାହିଁ ।ଏହାକୁ ନେଇ ଅନେକ ପାକ୍ସ ସଭାପତି ବ୍ୟାଙ୍କ ଘେରାଉ କରିବାକୁ ସଜବାଜ ହେଉଥିବାର ସୂଚନା ମିଳିଛି ।

Leave A Reply

Your email address will not be published.