
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିପାରେ । ଇସ୍ରାଏଲର ମୁମ୍ୱାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିଭ ରେଭାଚ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ୍ ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ବୁଝାମଣାରେ ବିସ୍ତାର ହୋଇପାରେ । ଏହି ବୁଝାମଣାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଇସ୍ରାଏଲର ପ୍ରସିଦ୍ଧ ଆଇରନ୍ ଡୋମ ମିସାଇଲ୍ ଡିଫେନ୍ସ ସିଷ୍ଟମର ପ୍ରଯୁକ୍ତି ହସ୍ତାନ୍ତରଣ ହୋଇପାରେ ।
ଇସ୍ରାଏଲ୍ ରାଷ୍ଟ୍ରଦୂତ ୟାନିଭ ରେଭାଚ କହିଛନ୍ତି, ଏହା କେବଳ ଏକ ହତିଆର କିଣି ବିକା ଚୁକ୍ତି ହେବ ନାହିଁ ବରଂ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପରେ ଭାରତରେ ଏହି ପ୍ରଣାଳୀର ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ସେ କହିଛନ୍ତି, ଆମ ଲକ୍ଷ୍ୟ ଏହି ବୁଝାମଣାକୁ ସେହି ସବୁ ବିଷୟ ନିକଟରେ ପହଞ୍ଚିବା, ଯେଉଁଥିରେ ଭାରତରେ ବିନିର୍ମାଣ ଓ ଆଇରନ୍ ଡୋମ ପ୍ରଯୁକ୍ତିକୁ ହସ୍ତାନ୍ତର କରିବା ପାଇଁ ସାମିଲ ରହିଛି । ୟାନିଭ ରୋଭାଚ ଜୋର୍ ଦେଇଛନ୍ତି ଯେ ଭାରତ ଓ ଇସ୍ରାଏଲ୍ ଉଭୟ ସମାନ ସୁରକ୍ଷା ଆହ୍ୱାନର ସାମନା କରୁଛନ୍ତି । ଇସ୍ରାଏଲ୍ ନିଜ ସୁରକ୍ଷା ପ୍ରଣାଳୀର ପ୍ରଯୁକ୍ତିକୁ ଭାରତ ସହ ସେୟାର କରିବାକୁ ପ୍ରସ୍ତୁତ ଅଛି, କାରଣ ଭାରତକୁ ଏକ ମଜଭୁତ ଓ ବିଶ୍ୱାସଯୋଗ୍ୟ ରଣନୀତିକ ସହଭାଗୀ ଭାବେ ବିଶ୍ୱାସ କରେ ।
ଇସ୍ରାଏଲର ଆଇରନ୍ ଡୋମ୍ ପ୍ରତିରକ୍ଷା ପ୍ରଣାଳୀ ଦୁନିଆରେ ଆଜିର ସମୟରେ ସବୁଠୁ ଉନ୍ନତ ଓ ଭରସାଯୋଗ୍ୟ ଡିଫେନ୍ସ ସିଷ୍ଟମ ଭାବେ ଦେଖାଯାଉଛି । ଆଇରନ୍ ଡୋମ୍ ନିଜର ୯୦ ପ୍ରତିଶତରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ପାଇଁ ପରିଚିତ । ଏହା ଶତ୍ରୁର ଅଳ୍ପ ଦୂରଗାମୀ ମିସାଇଲ୍ ଓ ରକେଟକୁ ଆକାଶରେ ନଷ୍ଟ କରିଥାଏ ।