
ମିରଟ : ଉତ୍ତରପ୍ରଦେଶର ମିରଟରେ ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଛୋଟପିଲା ସାମିଲ ଥିଲେ । ଅଘଟଣ କାରଣ ସର୍ଟ ସର୍କିଟ୍ ବୋଲି ଜଣାପଡିଛି ।
ଲିସାଡି ଗେଟ୍ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ ନଗରରେ ଏକ ଦୁଇ ମହଲା କୋଠାର ତଳ ମହଲାରେ ଏକ କପଡ଼ା ଗୋଦାମ ଚାଲୁଥିଲା । ତେବେ ସୋମବାର ରାତିରେ ଗୋଦାମରୁ ହଠାତ୍ ନିଆଁ ବାହାରିଥିଲା । ନିଆଁ ଶୀଘ୍ର ଉପର ମହଲାକୁ ବ୍ୟାପି ଯାଇଥିଲା । ସେହି ସମୟରେ ଘର ଭିତରେ ଦୁଇଜଣ ମହିଳା ଏବଂ ତାଙ୍କର ପାଞ୍ଚ ଜଣ ପିଲା ଥିଲେ । ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ।
ପୋଲିସ ଏବଂ ଅଗ୍ନିଶମବାହିନୀକୁ ଖବର ପାଇ ଘଟଣାସ୍ତଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକ ଆବାସିକ ଅଞ୍ଚଳରେ ଏକ ବେଆଇନ ପୋଷାକ ଗୋଦାମ ଚାଲୁଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଥିଲା । ଏସପି ସିଟି ଆୟୁଷ ବିକ୍ରମ ସିଂହଙ୍କ ଅନୁଯାୟୀ, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କହିଛନ୍ତି ।