
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ପରିତ୍ୟକ୍ତ କୂଅରେ ପଡି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ହାତୀଛୁଆକୁ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ବିଳମ୍ବିତ ରାତିରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ଗାଁ ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ମୋହନ ଚରଣ ମହାନ୍ତଙ୍କ କୂଅରେ ଛୁଆ ହାତୀଟି ଖସିପଡ଼ିଥିଲା । ହାତୀଛୁଆକୁ ଉଦ୍ଧାର କରିବାକୁ ମାଆ ହାତୀ ଅନେକ ଚେଷ୍ଟା କରୁଥିବା ବେଳେ, ଉପରୁ ପଥର ଖସି ଛୁଆହାତୀ ମୁଣ୍ଡରେ ବାଜିଥିଲା । ଫଳରେ ଛୁଅହାତୀର ମୃତ୍ୟୁ ଘଟିଥିଲା ।
ବନ ବିଭାଗ, ମୃତ ହାତୀଛୁଆକୁ କୂଅ ଭିତରୁ ଉଦ୍ଧାର କରି ପଦ୍ମପୁର ନର୍ସରୀକୁ ଆଣି ବ୍ୟବଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ରହିଛି ।