
ଭୁବନେଶ୍ବର : ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ଅବସର ପ୍ରାପ୍ତ କ୍ୟାପଟେନ ଅରୁଣ କର । ସେ ଲଗାତାର ଭାବେ ଜନକଲ୍ୟାଣ କାର୍ଯ୍ଯ କରୁଥିବାରୁ ଜାତିସଂଘ ମୁଖ୍ୟାଳୟ, ନ୍ୟୁୟର୍କରେ ସମ୍ମାନିତ ହୋଇଛନ୍ତି । ମାନବ ମର୍ଯ୍ୟାଦା, ସାର୍ବଜନୀନ ସ୍ବାସ୍ଥ୍ଯ, ପରିଷ୍କାର ପରିଚ୍ଛନ୍ନତା, ଲିଙ୍ଗ ସମାନତା ଓ ସ୍ଥାୟୀ ବିକାଶ ଆଦି ପ୍ରସଙ୍ଗକୁ ନିଜ କାର୍ଯ୍ୟ ଦ୍ବାରା ଆଗେଇ ନେଇଛନ୍ତି ସେ । ଜାତିସଂଘ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଲୁଇସ୍ ସୁଆରେଜ୍ ହର୍ନାଣ୍ଡେଜ୍ ଓ ଜାତିସଂଘ ବିଶ୍ୱଶାନ୍ତି ପରିଷଦର ଅଧ୍ୟକ୍ଷା ଡ. ବରଖା ଭର୍ଷାଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଗତ କିଛି ବର୍ଷ ଧରି ଅରୁଣ କର ତାଙ୍କ ପତ୍ନୀ ନିଧି କର, ଭାରତ ଓ ଲଣ୍ଡନରେ ଥିବା ସହଯୋଗୀମାନଙ୍କ ସହଯୋଗରେ ଅନେକ ଜନମଙ୍ଗଳ କାର୍ଯ୍ଯକ୍ରମକୁ ଆଗକୁ ନେଇଛନ୍ତି । ଓଡ଼ିଶାରେ ଆଦିବାସୀ ଝିଅମାନଙ୍କ ପାଇଁ ପରିମଳ ସୁବିଧା ଓ ମାସିକ ଋତୁସ୍ରାବ ସ୍ବଚ୍ଛତାକୁ ସୃଦୃଢ଼ କରିବା, ଉତ୍ତରାଖଣ୍ଡରେ ଦୁର୍ବଳ ସମୁଦାୟକୁ ଋତୁକାଳୀନ ଖାଦ୍ଯ, ବସ୍ତ୍ର ଓ ରିଲିଫ ସହାୟତା ପ୍ରଦାନ, ଲଣ୍ଡନରେ ମହିଳାମାନଙ୍କୁ ପ୍ରତିଯୋଗିତାମୂଳକ କ୍ରୀଡ଼ାରେ ସଶକ୍ତିକରଣ, ପ୍ରବାସୀମାନଙ୍କ ଏକତାକୁ କ୍ରୀଡ଼ା ମାଧ୍ୟମରେ ପ୍ରୋତ୍ସାହନ, ହାଉସ୍ ଅଫ୍ ଲର୍ଡସରେ ବାଲିଯାତ୍ରା ୨୦୨୫ ମାଧ୍ୟମରେ ସାଂସ୍କୃତିକ କୂଟନୀତି ଏବଂ ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା ପାଇଁ ଆର୍ଥନେଷ୍ଟ ମିଶନ ମାଧ୍ୟମରେ ପରିବେଶ ସ୍ଥାୟିତ୍ୱ ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ତେଣୁ ତାଙ୍କୁ ଆନ୍ତଜାର୍ତିକ ମଞ୍ଚରେ ସେ ନ୍ୟୁୟର୍କ ଟାଇମ୍ସ ଆଓ୍ବାର୍ଡ ୨୦୨୬ରେ ସମ୍ମାନିତ କରାଯାଇଛି ।
ଅରୁଣ କହିଛନ୍ତି, ପ୍ରକୃତ ସେବା ସମ୍ମାନରେ ନୁହେଁ ଦାୟିତ୍ୱରେ ମପାଯାଏ । ଓଡ଼ିଶାର ମୂଲ୍ୟବୋଧତା ତଥା ସହନଶୀଳତା, ନମ୍ରତା ଓ ସମୁଦାୟ ଭାବନା ଆଦିକୁ ଆଗକୁ ନେଇଛି । ଏସବୁ ମୋର ପ୍ରତ୍ଯେକ ପଦକ୍ଷେପକୁ ମାର୍ଗଦର୍ଶନ କରିଛି । ଯେତେବେଳେ ମର୍ଯ୍ୟାଦା ଓ କରୁଣା କାର୍ଯ୍ଯର ରୂପନିଏ, ସ୍ଥାୟୀ ଅଗ୍ରଗତି ଏକ ଆକାଂକ୍ଷା ନୁହେଁ, ବରଂ ଏକ କର୍ତ୍ତବ୍ଯ ହୋଇଯାଏ ।