
ନୟାଗଡ଼, ୦୫/୦୩(ନିସର୍ତ୍ତ): ବୁଧବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଯୁବକ ଜଣକ ହେଲେ ରଣପୁର ବ୍ଲକ ବିଲଗାଡ଼ିଆ ଗ୍ରାମର ଶରତ ପଟ୍ଟନାୟକଙ୍କ ପୁତ୍ର ଆଶୀର୍ବାଦ ପଟ୍ଟନାୟକ |
ଅଭିଯୋଗ ଅନୁଯାୟୀ ବୁଧବାର ରାତି ପ୍ରାୟ ସାଢେ ୧୧ ଟା ବେଳେ OD-25-S-3494 ନମ୍ବର ବିଶିଷ୍ଟ ମୋଟର ସାଇକେଲର ପଛ ପଟେ ବସି ରଣପୁରରୁ ନିଜ ଗାଁ ବିଲଗାଡ଼ିଆକୁ ଫେରୁଥିଲେ | ଶଙ୍ଖମୂଳ ନିକଟରେ ଥିବା କଟକଟି ଶଙ୍ଖ ଠାରେ ଗାଡି ଚାଳକ ଶୀତାକାନ୍ତ ସାମନ୍ତରାୟ ଗାଡି ଚଳାଇ ରାସ୍ତା କଡରେ ଥିବା ମୋରମ ଉପରେ ଜୋରରେ ଗାଡି ଚଢାଇ ଦେଇଥିଲେ | ଯାହା ଫଳରେ ଭାରସାମ୍ୟ ହରାଇ ଗାଡିଟି ସ୍ଲିପ ହୋଇ ଯାଇଥିଲା ଏବଂ ଗାଡି ପଛରେ ବସିଥିବା ଆଶୀର୍ବାଦ ଗାଡ଼ିରୁ ଛିଟିକି ପଡି ଯାଇଥିଲେ | ତାଙ୍କର ମୁଣ୍ଡରେ ଗଭୀର ଭାବେ ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା | ସେହି ବାଟରେ ଯାଉଥିବା କିଛି ଲୋକ ଓ ଗାଡି ଚାଳକ ଶୀତାକାନ୍ତ ମିଶି ତାଙ୍କୁ ରଣପୁର ଡାକ୍ତରଖାନାକୁ ଆଣିଥିଲେ | ଡାକ୍ତର ତାଙ୍କୁ ଚିକିତ୍ସା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା |
ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ପରିବାର ଲୋକେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରିଥିବା ଜଣାପଡିଛି | ଆଶୀର୍ବାଦଙ୍କ ମୃତ୍ୟୁରେ ପରିବାର, ବନ୍ଧୁବାନ୍ଧବ ତଥା ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |