
• ସମଗ୍ର ଦକ୍ଷିଣ ଓଡିଶାରେ ୫୫ତମ ଜାତୀୟ ସୁରକ୍ଷା ମାସ ଆରମ୍ଭ
ବ୍ରହ୍ମପୁର, ମାର୍ଚ୍ଚ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଲାଇନମ୍ୟାନ୍ ଦିବସ ପାଳିତ। ଲାଇନମ୍ୟାନମାନଙ୍କ ତ୍ୟାଗ, ସାହସ ଏବଂ ସେବାକୁ ସମ୍ମାନ ଜଣାଇ କାର୍ଯ୍ୟକ୍ଷେତ୍ରର ଅଗ୍ରଯୋଦ୍ଧାମାନଙ୍କ ପାଇଁ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ୫୫ତମ ଜାତୀୟ ସୁରକ୍ଷା ଦିବସ ଏବଂ ଜାତୀୟ ସୁରକ୍ଷା ମାସ କମ୍ପାନୀର କାର୍ଯ୍ୟକ୍ଷେତ୍ରରେ ଆରମ୍ଭ କରାଯାଇଛି।
ଗର୍ବ ଏବଂ ଉତ୍ସାହର ସହକାରେ ବିଭିନ୍ନ ଡିଭିଜନର ଲାଇନମ୍ୟାନମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରାୟ ୭୫ରୁ ଉର୍ଦ୍ଧ୍ବ ଲାଇନମ୍ୟାନମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ଯେଉଁମାନେ ଏକ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ସୁଦୃଢ଼ ବିଜୁଳି ଯୋଗାଣ ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରି ଆସୁଛନ୍ତି। ପ୍ରତିକୂଳ ପାଗ, ଦୁର୍ଗମ ଅଞ୍ଚଳ ଏବଂ ସମୟର ସହକାରେ ଲାଇନମ୍ୟାନମାନେ ସେମାନଙ୍କ ସେବା ଏବଂ କର୍ତ୍ତବ୍ୟକୁ ପାଳନ କରି ଆସୁଛନ୍ତି।
ଲାଇନମ୍ୟାନମାନଙ୍କ ନିରବଚ୍ଛିନ୍ନ ପ୍ରୟାସକୁ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ପ୍ରଶଂସା କରିବା ସହିତ ସମ୍ମାନ ଜଣାଇଛନ୍ତି। ଏଥିସହିତ ଏହି ଅବସରରେ କହିଛନ୍ତି, “ଆମ ଲାଇନମ୍ୟାନମାନେ ଆମ ଅନୁଷ୍ଠାନର ମେରୁଦଣ୍ଡ। ପ୍ରତିକୂଳ ପରିସ୍ଥିତି ସତ୍ୱେ ସେମାନେ କାର୍ଯ୍ୟ ସମ୍ପାଦିତ କରିଥାଆନ୍ତି ଯାହା ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାରେ ରୋକିଥାଏ। ସେମାନଙ୍କ ତ୍ୟାଗ ଏବଂ ଅନୁଶାସନ ଆମର ବିଦ୍ୟୁତ ନେଟୱର୍କକୁ ମଜଭୁତ କରିବାରେ ସହାୟକ ହେଉଛି। ସୁରକ୍ଷା ହେଉଛି ଆମର ପ୍ରାଥମିକତା। ପ୍ରତ୍ୟେକ କର୍ମଚାରୀ ସୁରକ୍ଷିତ ଭାବେ ଘରକୁ ଫେରିବା ଉଚିତ” । ଏଥିସହିତ ସେ ଏହି ଅବସରରେ ଟିପିଏସ୍ଓଡିଏଲର ମିଶନ ଜିରୋ ହାର୍ମ ଲକ୍ଷ୍ୟକୁ ଦୋହରାଇଛନ୍ତି। ସୁରକ୍ଷା କେବଳ ନିୟମରେ ବନ୍ଧା ନୁହେଁ ବରଂ ସଭିଙ୍କ ମିଳିତ ପ୍ରୟାସରେ ଏହା ହେଉଛି ଏକ ଦାୟିତ୍ୱ ବୋଲି ଏହି ଅବସରରେ ସେ ମତବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସୁରକ୍ଷା ଶପଥ ନେବା ସହିତ ସୁରକ୍ଷା ନିୟମକୁ ସଠିକ ଭାବେ ଅନୁପାଳନ କରିବା ପାଇଁ ସୁନିଶ୍ଚିତ କରିଛନ୍ତି। ଏହି ଅବସରରେ ଏକ ସ୍ୱତନ୍ତ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଛି। ଯେଉଁଥିରେ ଲାଇନମ୍ୟାନଙ୍କ ଜୀବନର ଯାତ୍ରା, ସଂଘର୍ଷ ଏବଂ ସଫଳତା ପ୍ରଦର୍ଶିତ ହୋଇଥିଲା। ଏଥିସହିତ ସେମାନେ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ।
ଚଳିତବର୍ଷର ପ୍ରସଙ୍ଗ “ନିରାପତ୍ତା ବୃଦ୍ଧି ପାଇଁ – ଲୋକଙ୍କୁ ସୁରକ୍ଷା ଅଭିଯାନରେ ସାମିଲ କରାନ୍ତୁ, ଶିକ୍ଷା ପ୍ରଦାନ ସହ ସଶକ୍ତ କରାନ୍ତୁ” ସହିତ ଟିପିଏସ୍ଓଡିଏଲ୍ ମାସବ୍ୟାପୀ ସୁରକ୍ଷା ପ୍ରତିଯୋଗିତା ଏବଂ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରିଛି। ସେହିଭଳି ଅନୁରୂପ କାର୍ଯ୍ୟକ୍ରମମାନ କମ୍ପାନୀର ୬ଟି ସର୍କଲରେ ଆଗାମୀ ଦିନରେ ହେବ ଯାହା ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୁନିଶ୍ଚିତ କରେ।
ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।