ସୋସିଆଲ ମିଡିଆ ବ୍ୟବହାର କରିପାରିବେନି ୧୬ ବର୍ଷରୁ କମ୍ ବୟସର ପିଲା

newyr25

କର୍ଣ୍ଣାଟକ : କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା କରିଛନ୍ତି । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

ସିଦ୍ଧରମୈୟା କହିଛନ୍ତି, ବର୍ତ୍ତମାନ ସମୟରେ ମୋବାଇଲ୍ ଫୋନ୍ ଏବଂ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ, ବ୍ୟବହାର ଏବଂ ସେମାନଙ୍କ ଶିକ୍ଷା ଗ୍ରହଣ ପ୍ରକ୍ରିୟା ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଉଛି । ଏହା କେବଳ ସେମାନଙ୍କର ଏକାଗ୍ରତା ନଷ୍ଟ କରୁନାହିଁ, ବରଂ ସେମାନଙ୍କୁ ସାଇବର ଅପରାଧର ଶିକାର ମଧ୍ୟ କରୁଛି । ତେଣୁ, ଆମ ସରକାର ୨୦୨୬-୨୭ ବଜେଟ୍ ରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆମ ପିଲାମାନଙ୍କର ସୁରକ୍ଷା ଏବଂ ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଜରୁରୀ । ଏହାକୁ କାର୍ଯ୍ୟକାରୀ କରିବାରେ ଆମେ ଅଭିଭାବକ, ଶିକ୍ଷାନୁଷ୍ଠାନ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ସହଯୋଗ ଲୋଡ଼ିବୁ । ମୋବାଇଲ୍ ଓ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ, ବ୍ୟବହାର ଏବଂ ପାଠପଢ଼ା ଉପରେ ଖରାପ ପ୍ରଭାବ ପଡ଼ୁଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଏହି ନିୟମ କେବଳ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ନିୟମକୁ ଆଧାର କରି କର୍ଣ୍ଣାଟକ ଏହି ନିଷ୍ପତ୍ତି ନେଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ଆହ୍ୱାନ ରହିଛି । ପିଲାମାନଙ୍କ ବୟସ କିପରି ଯାଞ୍ଚ କରାଯିବ ଏବଂ ଘର ଭିତରେ ସେମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି କି ନାହିଁ, ତାହା ଉପରେ ନଜର ରଖିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କର୍ଣ୍ଣାଟକ ଏହି ନିୟମ ଆଣିବାରେ ଦେଶର ପ୍ରଥମ ରାଜ୍ୟ । ଏହାକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହୋଇଛି ।

Leave A Reply

Your email address will not be published.