ୟୁଏଇରେ ସୁଟ୍‌କେସ୍‌ରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର, ଥାନାର ଦ୍ୱାରସ୍ଥ ହେଲେ ସାନଭାଇ

ନୂଆଦିଲ୍ଲୀ: ବଡ଼ଭାଇ ଚାକିରି କରିଥିଲେ ସୁଦୂର ସାରଜାହାରେ । ପାଖରେ ଥିଲେ ସ୍ତ୍ରୀ ଓ ପୁଅ । ଭାରତରେ ଥିବା ସାନଭାଇ, ବଡ଼ଭାଇଙ୍କ ସହ ଫୋନ୍‌ରେ ଢେର କଥା ହେଉଥିଲେ । ହସଖୁସିରେ ଉଭୟ ପରିବାର ଚଳୁଥିଲେ । କିନ୍ତୁ ଗଲା ଜୁଲାଇ ମାସରୁ ଆଉ ଭାଇଙ୍କ ଫୋନ୍ ଲାଗି ନ ଥିଲା । ଖୋଜ୍ ଖବର ନେବାରେ ବି କିଛି ତଥ୍ୟ ମିଳୁ ନ ଥିଲା । ଭାଇ, ଭାଉଜ ଓ ପୁତୁରା ଗଲେ କୁଆଡେ ବୋଲି ଚିନ୍ତାରେ ଥିଲେ ସାନଭାଇ । କିନ୍ତୁ ହାୟ, ନିକଟରେ ତାଙ୍କୁ ମିଳିଛି ଏକ ଦୁଃଖ ଖବର, ଯାହା ତାଙ୍କ ପାଦତଳୁ ମାଟି ଖସାଇ ଦେଇଛି । ସାରଜାହାରୁ ଓମାନ ଯିବା ରାସ୍ତାର ଏକ କାର୍ ଭିତରୁ ମିଳିଛି ବଡ଼ଭାଇଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ତାହା ପୁଣି ଦୁଇଟି ସୁଟ୍‌କେସ୍‌ରେ ଭର୍ତି ହୋଇ । ଭାଉଜ ଓ ପୁତୁରାର ବି ପତା ମିଳୁନି । ଅନ୍ୟ ଉପାୟ ନ ପାଇ ସାନଭାଇ ଶେଷରେ ଭାରତ ସରକାରଙ୍କ ଶରଣାପନ୍ନ ହୋଇଛନ୍ତି ।


ଏବେ ଆସନ୍ତୁ ସଂପୂର୍ଣ୍ଣ ଖବର ଉପରେ ନଜର ପକାଇବା । କର୍ଣ୍ଣାଟକ ଉଡୁପି ଜିଲା କୁନ୍ଦାପୁର ଗାଁର ଅଲୱିନ ପ୍ରକାଶ କୁନ୍ଦେର ନାମକ ଜଣେ ବ୍ୟକ୍ତି ଶାରଜାହା ଏୟାରପୋର୍ଟରେ ଗତ ପ୍ରାୟ ୧୪ ବର୍ଷ ହେବ କାମ କରୁଥିଲେ । ପତ୍ନୀ ଟିନା ଓ ୧୦ମ ଶ୍ରେଣୀରେ ପଢୁଥିବା ପୁଅ ସହ ସେଠାରେ ରହୁଥିଲେ ଅଲୱିନ ପ୍ରକାଶ । ଏପଟେ ଗାଁରେ ରହନ୍ତି ତାଙ୍କ ସାନ ଭାଇ ଅନୀଲ ପ୍ରଶାନ୍ତ କୁନ୍ଦେର ।ଅନୀଲଙ୍କ କହିବା ଅନୁଯାୟୀ ତାଙ୍କ ବଡ଼ଭାଇ ଅଲୱିନ ଗତ ଡିସେମ୍ବର ମାସରେ ଗାଁକୁ ଆସି ବୁଲାବୁଲି କରି ଯାଇଥିଲେ । ସବୁ ଠିକ୍ ଠାକ୍ ଚାଲିଥିଲା । ଗତ ଜୁଲାଇ ୧୦ ତାରିଖରେ ଦୁଇଭାଇଙ୍କ ଭିତରେ କଥାବାର୍ତା ହୋଇଥିଲା । ତେବେ ତା ପରଠୁ ଆଉ ବଡଭାଇ ଅଲୱିନଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ ସାନଭାଇ ଅନୀଲ । ଏଇ ସମୟରେ ବଡ଼ଭାଇଙ୍କ ଫୋନ୍‌ରୁ ଅନୀଲ ଏକ ମେସେଜ୍ ପାଇଲେ, ଯେଉଁଥିରେ ଲେଖାଥିଲା-‘ମୁଁ ଠିକ୍ ଅଛି, ବ୍ୟସ୍ତ ହେବାର କିଛି ନାହିଁ ।’ ଏଇଠୁ ହିଁ ସନ୍ଦେହ ଜନ୍ମିଥିଲା ଅନୀଲଙ୍କ ମନରେ । ବଡ଼ଭାଇ କେବେବି ତାଙ୍କୁ ମେସେଜ୍ କରୁ ନ ଥିଲେ । ଏମିତି ମେସେଜ୍ କରିବାର କଣ ହୋଇପାରେ କାରଣ, ଖୋଳତାଡ଼ କରିବା ଆରମ୍ଭ କରିଥିଲେ ଅନୀଲ । ସାରଜାହାରେ ରହୁଥିବା ନିଜର ଜଣେ ସାଙ୍ଗକୁ ସେ ଭାଇ ରହୁଥିବ ଫ୍ଲାଟକୁ ପଠାଇଥିଲେ । ତେବେ ସାଙ୍ଗ ଫେରିଆସି ଯେଉଁ ଖବର ଦେଲେ, ସେଥିରେ ହତଚକିତ ହୋଇଗଲେ ଅନୀଲ । ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ କହିଲା ଯେ, ଅଲଓ୍‌ିନ ସପରିବାର ଭାରତ ପଳାଇଛନ୍ତି ।

ଏ ଖବର ଶୁଣିବା ପରେ ଅନୀଲ ତତ୍କାଳ ଭାଇ କାମ କରୁଥିବା କମ୍ପାନୀ ସହ ଯୋଗାଯୋଗ କରିବାରୁ କମ୍ପାନୀ ପକ୍ଷରୁ ମଧ୍ୟ ସମାନ କଥା କୁହାଯାଇଥିଲା । ତେବେ ଅଲୱିନଙ୍କ ପାସପୋର୍ଟ ଯାଂଚ କରିବା ପରେ ଜଣାପଡିଲା ଯେ, ସେ ୟୁଏଇରେ ହିଁ ଅଛନ୍ତି । ତା ପରେ ଆଉ କିଛି ଖୋଜ ଖବର ମିଳି ନ ଥିବା ବେଳେ ଗତ ସପ୍ତାହରେ ସାରଜାହା ପୁଲିସ ତାଙ୍କୁ ଭାଇଙ୍କ ମୃତଦେହ ଉଦ୍ଧାର ସମ୍ପର୍କିତ ଖବର ଜଣାଇଥିଲା । ମୃତଦେହ ଓମାନ ଆଡକୁ ଯାଉଥିବା ରାସ୍ତାକଡରେ ପାର୍କିଂ ହୋଇଥିବା ଏକ କାର୍‌ରୁ ମିଳିଥିଲା । ମୃତଦେହକୁ ୯ ଖଣ୍ଡ କାଟି ଦୁଇଟି ସୁଟ୍‌କେସରେ ଭର୍ତି କରାଯାଇ କାର ଭିତରେ ରଖାଯାଇଥିଲା । ଖବର ପାଇବା ଦିନଠୁ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଅନୀଲ । ସବୁ ଠିକ୍‌ଠାକ୍ ଥିବା ବେଳେ ଏହି ହତ୍ୟାକାଣ୍ଡ କେମିତି ହେଲା, କିଏ କଲା, ଭାଉଜ ଓ ପୁତୁରା ଏବେ କୁଆଡେ, ତାହାର କୌଣସି ବି ତଥ୍ୟ ପାଇ ପାରୁନାହାନ୍ତି ଅନୀଲ । ଶରୀରକୁ ୯ ଖଣ୍ଡ କଟାଯିବାର ଅର୍ଥ ପେଶାଦାର ଅପରାଧୀଙ୍କ ଦ୍ୱାରା ଏହି ହତ୍ୟାକାଣ୍ଡ ଘଟାଯାଇଛି । ତେଣୁ ତୁରନ୍ତ ଏହାର ତଦନ୍ତ ଦାବିରେ ଉଡୁପି ଥାନାରେ ଏ ନେଇ ମଙ୍ଗଳବାର ଅଭିଯୋଗ କରିଛନ୍ତି ଅନୀଲ । ଭାଉଜ ଓ ପୁତୁରା ମଧ୍ୟ କୁଆଡେ ଅଛନ୍ତି, ତାହା ଖୋଜି ଠାବ କରିବାକୁ ଅନୀଲ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.